Categories: ଜାତୀୟ

କଂଗ୍ରେସକୁ ପୁଣି ଲାଗିଲା ୧,୭୪୫ କୋଟିର ଝଟ୍‌କା

ନୂଆଦିଲ୍ଲୀ,୩୧ା୩:ଆୟକର ବିଭାଗ କଂଗ୍ରେସକୁ ୧,୭୪୫ କୋଟି ଟଙ୍କାର ଆଉ ଏକ ନୋଟିସ୍‌ ପଠାଇଛି। ୨୦୨୪-୨୫ରୁ ୨୦୧୬-୧୭ ନିର୍ଦ୍ଧାରଣ ବର୍ଷ ନିମନ୍ତେ ଆୟକର ବିଭାଗ କଂଗ୍ରେସ ଦଳଠାରୁ ୧,୭୪୫ କୋଟି ଟଙ୍କା ଟିକସ ଦାବି କରିଛି। ଏହାକୁ ମିଶାଇ କଂଗ୍ରେସକୁ ମୋଟ ୩,୫୬୭ କୋଟି ଟଙ୍କାର ଟିକସ ପୈଠ କରିବାକୁ କୁହାଯାଇଛି। ସାନି ନୋଟିସରେ ୨୦୧୪-୧୫ ବର୍ଷ ଲାଗି ୬୬୩ କୋଟି, ୨୦୧୫-୧୬ ବର୍ଷ ପାଇଁ ୬୬୪ କୋଟି ଏବଂ ୨୦୧୬-୧୭ ବର୍ଷ ନିମନ୍ତେ ୪୧୭ କୋଟି ଟିକସ ଦାବି ହୋଇଛି। ରାଜନୈତିକ ଦଳଗୁଡ଼ିକୁ ଟିକସ ଛାଡ଼ ସୁବିଧାରୁ ବାଦ୍‌ ଦିଆଯାଇଛି। ତେଣୁ ଦଳଗୁଡ଼ିକୁ ମୋଟ ଚାନ୍ଦା ସଂଗ୍ରହ ଉପରେ ଟ୍ୟାକ୍ସ ଭରିବାକୁ ହେବ ବୋଲି ଆୟକର ବିଭାଗ କହିଛି। ଚଢ଼ାଉ ବେଳେ କେତେଜଣ କଂଗ୍ରେସ ନେତାଙ୍କଠାରୁ ଜବତ ହୋଇଥିବା ଡାଇରିରେ ଦଳକୁ ତୃତୀୟ ପକ୍ଷ ଏଣ୍ଟ୍ରି କରାଯାଇଥିବାରୁ ଏଥିପାଇଁ ଏହାକୁ ଟିକସ ଭରିବାକୁ ହେବ। ଗତ ଶୁକ୍ରବାର କଂଗ୍ରେସକୁ ୧,୮୨୩ କୋଟି ଟଙ୍କାର ଆୟକର ନୋଟିସ ମିଳିଥିବା ଦଳ ପକ୍ଷରୁ କୁହାଯାଇଥିଲା। ପୂର୍ବ ବର୍ଷଗୁଡ଼ିକର ଟିକସ ପାଇଁ ଆୟକର କର୍ତ୍ତୃପକ୍ଷ କଂଗ୍ରେସ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା ଉଠାଇନେଇଥିବାରୁ ଏହା ବିରୋଧରେ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୋମବାର ଏହାର ଶୁଣାଣି ହୋଇପାରେ।

Share