Categories: ଜାତୀୟ

କଂଗ୍ରେସ ଅନୁମତି ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଲଢ଼ିବି ନିର୍ବାଚନ: ଦିଗବିଜୟ ସିଂ…

ଭୋପାଳ,୧୬।୫ : ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ହୋଇସାରିଛି। ଏବେ ରାଜନେତାଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଦଳ ଅନୁମତି ଦେଲେ ମୁଁ ଗୁନା ଲୋକସଭା ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛି।

ବାସ୍ତବରେ, ଗୁନା ଜ୍ୟୋତିରାଦିତ୍ୟଙ୍କର ଦୁର୍ଗ ବୋଲି ବିବେଚନା କରାଯାଏ। ମାତ୍ର ଦିଗବିଜୟ ଏହି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥି ସହିତ କଂଗ୍ରେସ ବିଧାନସଭା ନିର୍ବାଚନ ପାଖେଇ ଅସୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟଙ୍କ ଦୁର୍ଗ ଭାଙ୍ଗିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୦ରେ ଜ୍ୟୋତିରାଦିତ୍ୟ ତାଙ୍କର ୨୨ ଜଣ ସମର୍ଥକ ବିଧାୟକଙ୍କ ସହ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ, ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାରର ପତନ ଘଟିଥିଲା।

କର୍ନାଟକରେ କଂଗ୍ରେସର ଫଳାଫଳକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଦିଗବିଜୟ ଜ୍ୟୋତିରାଦିତ୍ୟଙ୍କୁ ଅପମାନିତ କରିଥିଲେ। କର୍ନାଟକରେ ‘ଅପରେଶନ ଲୋଟସ’ ଚାଲିବ କି ନାହିଁ ବୋଲି ଜଣେ ଖବରଦାତା ଦିଗବିଜୟଙ୍କୁ ପଚାରିଥିଲେ। ଏହାର ଉତ୍ତର ଦେବାବେଳେ ସେ କହିଥିଲେ କର୍ନାଟକରେ ଏହା ଘଟିବ ନାହିଁ କାରଣ ସେଠାରେ କୌଣସି ସିନ୍ଧିଆ ନାହାନ୍ତି, ସେଠାରେ କଂଗ୍ରେସ କର୍ମୀ ଅଛନ୍ତି।

Share