Categories: ଜାତୀୟ

ସଂସଦରେ ଇନ୍ଧନ ତାତି

ନୂଆଦିଲ୍ଲୀ,୨୩ା୩: ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ଦର ବୃଦ୍ଧିର ତାତି ମଙ୍ଗଳବାର ପାର୍ଲାମେଣ୍ଟର ଉଭୟ ଗୃହରେ ଅନୁଭୂତ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ହୋହଲ୍ଲା କରିବାରୁ ଲୋକ ସଭା ଓ ରାଜ୍ୟ ସଭାକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଛି।
୪ ମାସ ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ଏବଂ ଏଲ୍‌ପିଜି ସିଲିଣ୍ଡର ଉପରେ ୫୦ ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ତେଣୁ ରାଜ୍ୟ ସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଶୂନ୍ୟକାଳରେ କଂଗ୍ରେସର ଶକ୍ତି ସିଂ ଗୋହିଲ, ଟିଏମ୍‌ସିର ଦୋଳ ସେନ, ସିପିଆଇଏମ୍‌ର ଭି. ଶିବଦାସନ ଏଲାମରାମ ଓ ଅନ୍ୟ ବିରୋଧୀ ସଦସ୍ୟମାନେ ରୁଲ୍‌ ୨୬୭ ଅନୁସାରେ ଇନ୍ଧନ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଏନେଇ ଅନୁମତି ନ ଦେବାରୁ ସେମାନେ ଗୃହ ମଧ୍ୟଭାଗକୁ ଯାଇ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଫଳରେ ଅଧ୍ୟକ୍ଷ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ଯାଏ ବନ୍ଦ ଗୃହକାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ। ପରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ବେଳକୁ ଟିଏମ୍‌ସି, କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଶିବସେନା ସଦସ୍ୟମାନେ ସ୍ଲୋଗାନ ଦେଇ ହୋହଲ୍ଲା କରିଥିଲେ। ଶାନ୍ତ ହୋଇ ନିଜ ଆସନରେ ବସିବାକୁ ଅଧ୍ୟକ୍ଷ କହିଥିଲେ ହେଁ ସେମାନେ ଶୁଣି ନ ଥିଲେ। ଫଳରେ ଗୃହକୁ ଦିନକ ପାଇଁ ମୁଲତବୀ କରାଯାଇଥିଲା। ଲୋକ ସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି କରିଥିବାବେଳେ ବାଚସ୍ପତି ଓମ୍‌ ବିର୍ଲା ପ୍ରତ୍ୟାଖ୍ୟାନ କରିଦେଇଥିଲେ। ନିର୍ବାଚନ ଶେଷ ହେବା ପରେ ସରକାର ତେଲ ଓ ଗ୍ୟାସ ଦର ବଢ଼ାଇଦେଇଥିବା ନିମ୍ନ ସଦନରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସମାଲୋଚନା କରିଥିଲେ। କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ଟିଏମ୍‌ସି ଏବଂ ବାମଦଳ ସଦସ୍ୟମାନେ ଦର ବୃଦ୍ଧି ପ୍ରତ୍ୟାହାର ଦାବି କରି ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଅନୁରୋଧ ନ ଶୁଣିବାରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ।

Share