Categories: ଜାତୀୟ

କଂଗ୍ରେସ ଘୋଷଣା କଲା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୩୦।୫: ରାଜ୍ୟ ସଭା ନିର୍ବାଚନ ଜୁନ୍‌ ୧୦ରେ ହେବାକୁ ଥିବା ବେଳେ ସୋମବାର କଂଗ୍ରେସ ପକ୍ଷରୁ ୧୦ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପି. ଚିଦାମ୍ବରମ୍‌, ଜୟରାମ ରମେଶ, ଅଜୟ ମାକେନ ଏବଂ ଦଳର ମୁଖ୍ୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲାଙ୍କୁ ଟିକେଟ ମିଳିଛି। ଏତଦ୍‌ବ୍ୟତୀତ ଜି୨୩ ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ଓ୍ବାସନିକଙ୍କୁ ରାଜସ୍ଥାନରୁ ଏବଂ ବିବେକ ଟଙ୍ଖାଙ୍କୁ ମଧ୍ୟପ୍ରଦେଶରୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ଲାଗି ୨୦୨୦ରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିବା ୨୩ନେତାଙ୍କ ମଧ୍ୟରେ ଏମାନେ ରହିଥିଲେ। ଜି-୨୩ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମାଙ୍କୁ ରାଜ୍ୟ ସଭା ଟିକେଟ ମିଳିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ତାଲିକାରେ ସେମାନଙ୍କ ନାମ ନାହିଁ। ଚିଦାମ୍ବରମ ତାମିଲନାଡୁରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ରମେଶ କର୍ନାଟକରୁ, ମାକେନ ହରିୟାଣାରୁ ଏବଂ ସୁର୍ଜଓ୍ବୋଲା ରାଜସ୍ଥାନରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ତିଓ୍ବାରୀଙ୍କୁ ରାଜସ୍ଥାନରୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଶୁକ୍ଳା ଓ ରଞ୍ଜିତ ରଞ୍ଜନଙ୍କୁ ଛତିଶଗଡ଼ରୁ ଏବଂ ଇମ୍ରାନ୍‌ ପ୍ରତାପଗର୍ହିଙ୍କୁ ମହାରାଷ୍ଟ୍ରରୁ ପ୍ରାର୍ଥୀ କରାଯାଇଛି। ୧୦ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ନିର୍ବାଚନରେ କଂଗ୍ରେସର ସମସ୍ତ ୧୦ ପ୍ରାର୍ଥୀ ଜିତିବା ସମ୍ଭାବନା ଥିବା କୁହାଯାଉଛି। ରାଜସ୍ଥାନରୁ ୩ ଆସନକୁ ଯଦି ଦଳ ଜିତିନିଏ, ତେବେ ଏହା ଉଚ୍ଚ ସଦନରେ ଅଧିକ ୩ଆସନ ପାଇବାକୁ ସକ୍ଷମ ହୋଇପାରିବ। ଛତିଶଗଡ଼ରୁ କଂଗ୍ରେସ ୨ଟି ଆସନ ଜିତିବାକୁ ଥିବା ବେଳେ ତାମିଲନାଡୁ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏ ଆସନ ପାଇବ ବୋଲି କୁହାଯାଉଛି। ସେହିପରି ହରିୟାଣା, ମଧ୍ୟପ୍ରଦେଶ, କର୍ନାଟକରେ ଦଳୀୟ ବିଧାୟକଙ୍କ ସଂଖ୍ୟାକୁ ନେଇ କଂଗ୍ରେସ ଗୋଟିଏ ଲେଖାଏ ଆସନ ପାଇପାରେ।

Share