ବିବାହ କରିବା ପରେ ଅନ୍ନପ୍ରାସନ କରାଇବ କଂଗ୍ରେସ

ଭୁବନେଶ୍ୱର,୮।୩: ବିଜେଡି ଭାଜପା ମେଣ୍ଟ ଚର୍ଚ୍ଚା ଥମି ନ ଥିବାବେଳେ ଦୁଇ ଦଳକୁ ଘେରିବାକୁ ନୂଆ ରଣନୀତି ଆପଣାଉଛି କଂଗ୍ରେସ । କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସହ ଶୋଷଣ ଓ ଦରଦାମ ବୃଦ୍ଧି ଜନ୍ମ ନେଇଥିବା ଅଭିଯୋଗ କରି ଅନ୍ନପ୍ରାସନ୍ନ କରିବାକୁ ଘୋଷଣା କରିଛି କଂଗ୍ରେସ ।

ଉଭୟ ଦଳ ମଧ୍ୟରେ ଘନିଷ୍ଠ ସଂପର୍କ ଥିବା ଅଭିଯୋଗ କରି, ଦୁଇ ଦଳ ମଧ୍ୟରେ ପ୍ରତିକାତ୍ମକ ବାହାଘର କରାଇଥିଲା କଂଗ୍ରେସ । ସାରା ରାଜ୍ୟରେ ଏଭଲି ବିବାହ ଉତ୍ସବ ଆୟୋଜନ କରି ଦୁଇ ଦଳକୁ କଟାକ୍ଷ କରିଥିଲା କଂଗ୍ରେସ । ଆଉ ଏବେ ଯେତେବେଳେ ଦୁଇ ଦଳ ମଧ୍ୟରେ ବିଧିବଦ୍ଧ ମେଣ୍ଟ ହେବା ଏକପ୍ରକାର ସ୍ପଷ୍ଟ ହୋଇଗଲାଣି, ପୁଣି ଆଉପାଦେ ଆଗେଇଛି କଂଗ୍ରେସ । ଅଭିଯୋଗ କରିଛି, ଉଭୟ ଭାଜପା ଓ ବିଜେଡିର ଭାଗିଦାରୀରେ ଜନ୍ମ ନେଇଛନ୍ତି ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ଦାଦନ ସମସ୍ୟା, ଚାକିରି ବିକ୍ରି, ଚୋରା ମଦ ବେପାର ଭଳି ସମସ୍ୟା । ଆଗାମୀ ୧୧ ତାରିଖରେ ଏମାନଙ୍କର ପ୍ରତିକାତ୍ମକ ଅନ୍ନପ୍ରାସନ କରାଇବ ରାଜ୍ୟ କଂଗ୍ରେସ । କଂଗ୍ରେସ ଭବନ ପରିସରରେ ଏଭଳି ରାଜନୈତିକ କଟାକ୍ଷର ଆୟୋଜନ କରିଛି ଦଳ ।

କଂଗ୍ରେସର ଆୟୋଜନ ଅନୁସାରେ ପୂଜାରୀ ଆସିବେ, ଖିରି ଖୁଆଇବେ ଓ ନାମକରଣ କରିବେ । ଠିକ ଯେମିତି ବାହାଘର ସମୟରେ କରାଯାଇଥିଲା ସେହିଭଳି, କଂଗ୍ରେସ ଭବନରେ ଟେଣ୍ଟ ବନ୍ଧାଯିବ, ବିଧି ଅନୁଯାୟୀ ପୂଜାର୍ଚ୍ଚନା ହେବ, ସବୁ ବରିଷ୍ଠ ନେତା ଯୋଗଦେବେ, ଅନ୍ନପ୍ରାସନ ପରେ ଭୋଜି ଖାଇବେ ଲୋକ । ଏପରିକି ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ରାଜ୍ୟ କଂଗ୍ରେସ । ଏଥିପାଇଁ ଏକ ନିମନ୍ତ୍ରଣ ପତ୍ର କରାଯାଇଥିବାବେଳେ ଏହାକୁ ଶନିବାରଠାରୁ ବାଣ୍ଟିବେ ଦଳୀୟ ନେତା ଓ କର୍ମୀ ।

 

Share