‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୨୦।୧: ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି।

ଶୁକ୍ରବାର କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ପାର୍ଟି ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ‘ବିକ୍ଷୋଭକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତି ସାରିଛି। ହେଲେ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ’ଏହାଛଡ଼ା ଅଜୟ ମିଶ୍ର ଟେନିଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚୁପ୍‌ ରହିଥିବା ବେଳେଏବେ ଡବ୍ଲୁଏଫ୍‌ଆଇ ବ୍ରିଜ ଭୂଷଣ ସିଂଙ୍କ ମାମଲାରେ ତାହା ଘଟୁଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ ବିରୋଧରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଦାବି କରି ରେସଲରମାନଙ୍କ ବିକ୍ଷୋଭ ୩ ଦିନରେ ପହଞ୍ଚିଛି।