Categories: ଜାତୀୟ

ସଂସଦକୁ ଅଚଳ କଲେ ସରକାର: ଖାର୍ଗେ

ନୂଆଦିଲ୍ଲୀ,୬।୪: ସଂସଦର ଶେଷ ଦିନରେ ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ବିଜୟ ଚୌକରୁ ଏକ ତ୍ରିରଙ୍ଗା ପଦଯାତ୍ରା ବାହାର କରିଥିଲେ। ଏହାପରେ ଖାର୍ଗେ ଏକ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୋଦି ସରକାର ଗଣତନ୍ତ୍ର ବିଷୟରେ ବହୁତ କଥା କହୁଛନ୍ତି କିନ୍ତୁ ଗଣତନ୍ତ୍ରକୁ ସେ କୌଣସି ଗୁରୁତ୍ୱ ଦେଉନାହାଁନ୍ତି। ଆମେ ଜାଣିବାକୁ ଚାହୁଁଛୁ ଯେ, ମାତ୍ର ଅଢ଼େଇ ବର୍ଷରେ ଆଦାନୀଙ୍କ ସମ୍ପତ୍ତି ୧୨ଲକ୍ଷ କୋଟିରେ କିପରି ପରିଣତ ହେଲା। ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ କିପରି ପାରିତ ହେଲା ବୋଲି କଂଗ୍ରେସ ଅଧ୍ୟକ୍ଷ ପ୍ରଶ୍ନ ଉଠାଇଛନ୍ତି। ଆମେ ଗୃହରେ ସବୁବେଳେ ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲୁ, କିନ୍ତୁ ଯେତେବେଳେ ବି ଆମେ କହିବାକୁ ଉଠୁଥିଲୁ କି ନୋଟିସ ଦେଇଥିଲୁ କିମ୍ବା ଦାବି କଲୁ ସେହି ସମୟରେ ସେ ଆମକୁ କହିବାକୁ ଅନୁମତି ଦେଇ ନ ଥିଲେ। ୫୦-୫୨ ବର୍ଷ ଧରି ରାଜନୀତିରେ ମୁଁ କାର୍ଯ୍ୟ କରିଆସୁଛି କିନ୍ତୁ ଏହା ପୂର୍ବରୁ ଏଭଳି ସମୟ କେବେ ଦେଖିନାହିଁ ବୋଲି ଖାର୍ଗେ କହିଛନ୍ତି।

Share