Categories: ଜାତୀୟ

ଓମାର ଅବଦୁଲ୍ଲା ସରକାରରୁ ନିଜକୁ କାହିଁକି ଦୂରେଇ ରଖିଲା କଂଗ୍ରେସ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଶପଥ ନେବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ଏହା ପୂର୍ବରୁ କଂଗ୍ରେସ ବଡ଼ ନିଷ୍ପତ୍ତି ନେଇ କହିଛି ଯେ, ଓମାର ଅବଦୁଲ୍ଲା ସରକାରରେ କଂଗ୍ରେସ ସାମିଲ ହେବ ନାହିଁ। ହେଲେ ସମର୍ଥନ ଜାରି ରହିବ। ସୂଚନାଯୋଗ୍ୟ, ନ୍ୟାଶନାଲ କନଫରେନ୍ସ ଏବଂ କଂଗ୍ରେସ ବିଧାନସଭା ନିର୍ବାଚନରେ ମେଣ୍ଟ କରିଥିଲେ ଏବଂ ଏହି ମେଣ୍ଟ ଦଳ ବିଜୟ ହାସଲ କରିଥିଲା।

କଂଗ୍ରେସର ଜଣେ ବରିଷ୍ଠ ନେତା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଯେ ଖାର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ତେବେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ସରକାରରେ ସାମିଲ ନ ହେବା ନିଷ୍ପତ୍ତି ନେଇ କଂଗ୍ରେସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ରାଜନୈତିକ ଏକତାର ବାର୍ତ୍ତା ଦେବାକୁ ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ଖାର୍ଗେ ଏବଂ ପ୍ରିୟଙ୍କା ଗାନ୍ଧୀ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ।

ଶପଥ ଗ୍ରହଣ ସମାରୋହର ପ୍ରାୟ ୩ ଘଣ୍ଟା ପୂର୍ବରୁ ସରକାରରେ ଯୋଗ ନ ଦେବା କଂଗ୍ରେସର ନିଷ୍ପତ୍ତି ପରେ ଏବେ ସବୁ ପ୍ରକାର କଳ୍ପନାଜଳ୍ପନା ଚାଲିଛି। ସୂତ୍ରରୁ ପ୍ରକାଶ ଯେ ଓମାର ଅବଦୁଲ୍ଲା ସରକାରରେ କେବଳ ଗୋଟିଏ ମନ୍ତ୍ରୀ ପଦ ମିଳିବା ଉପରେ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି। କଂଗ୍ରେସ ଅତିକମରେ ଦୁଇଟି ମନ୍ତ୍ରୀ ପଦ ଚାହୁଁଥିଲା, କିନ୍ତୁ ଅବଦୁଲ୍ଲା ଏଥିରେ ରାଜି ହୋଇ ନ ଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଭାଜପା ଉପରେ ଚାପ ପକାଇବା ପାଇଁ କଂଗ୍ରେସ ଏହା କରିଥାଇପାରେ।

Share