Categories: ଜାତୀୟ

ଛତିଶଗଡରେ ଏହି ବିଧାୟକଙ୍କର କଟିବ ଟିକେଟ୍‌: ଭୂପେଶ ବାଘେଲ

ରାୟପୁର,୨୬।୮: ଚଳିତ ବର୍ଷ ଶେଷ ସୁଦ୍ଧା ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଲୋକସଭା ନିର୍ବାଚନ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି। ରାଜ୍ୟରେ ଶୀର୍ଷ ନେତା ଗୋଟିକ ପରେ ଗୋଟିଏ ଗସ୍ତ କରିବାବେଳେ ଦଳର ଅନ୍ୟ ନେତାମାନେ ରାଜ୍ୟରେ ଡେରା ପକାଇଛନ୍ତି। ସେହିପରି ନିର୍ବାଚନୀ ରାଲିରେ ଉଭୟ ଦଳ ପରସ୍ପରକୁ ଦୋଷାରୋପ କରିବାରେ ମଧ୍ୟ ଲାଗି ପଡିଛନ୍ତି। ଏଭିତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭୁପେଶ କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ କିଛି ଦୁର୍ବଳ ବିଧାୟକଙ୍କୁ ଛାଡି ନୂଆ ଚେହେରାଙ୍କୁ ଟିକେଟ୍‌ ଦେବ। ସେ ଭାଜପାକୁ ମଧ୍ୟ ଟାର୍ଗେଟ କରିଥିଲେ। ରାଜ୍ୟରେ କଂଗ୍ରେସ ପାଇଁ ବଡ ଆହ୍ବନ ହେଉଛି ଭାଜପା ପରିବର୍ତ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଆୟକର ବିଭାଗ (ଆଇଟି) ସହିତ ଲଢିବା। ରାଜ୍ୟରେ ସେମାନେ ହେଉଛନ୍ତି ଦଳ ପାଇଁ ମୁଖ୍ୟ ଶତ୍ରୁ ବୋଲି ସେ କହିଛନ୍ତି।

କଂଗ୍ରେସ ଦଳର ଛତିଶଗଡ ଗୋଷ୍ଠୀରେ କୌଣସି ମତଭେଦ ନାହିଁ ବୋଲି ବାଘେଲ ଏକ ସାକ୍ଷାତକାରରେ କହିଛନ୍ତି। ଏଥି ସହ ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପଦ ସ୍ଥିର କରିବେ ଏବଂ ସମସ୍ତେ ଏହାକୁ ଅନୁସରଣ କରିବେ ବୋଲି ସେ କହିଛନ୍ତି।

ରାଜ୍ୟରେ କେନ୍ଦ୍ରୀୟ ଏଜେନ୍ସିଗୁଡିକ ଯଥା ଇଡି ଏବଂ ଆଇଟି ବିଭାଗ ଭାଜପାର ଶକ୍ତିଶାଳୀ ଡେଣା ଏବଂ ସେମାନେ ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ଉଦ୍ୟମରେ ସଫଳ ହେବେ ନାହିଁ। ସେ ଆହୁରି କହିଛନ୍ତି, ଛତିଶଗଡରେ ଭାଜପା ଆମର ଶତ୍ରୁ ନୁହେଁ, କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ଅଗଣତାନ୍ତ୍ରିକ କାର୍ଯ୍ୟ କରୁଥିବା ଇଡି ଏବଂ ଆଇଟି ବିଭାଗ ସହିତ ଯୁଦ୍ଧ କରିବା ଆମର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ।

କେତେକ ଆସନରେ ଆମର ପ୍ରାର୍ଥୀ ଦୁର୍ବଳ ଅଛନ୍ତି। ସେହି ଅନୁସାରେ ଆମେ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିବୁ। ଏଥର କିଛି ନୂଆ ଚେହେରାଙ୍କୁ ଟିକେଟ୍‌ ଦିଆଯିବ। ପୁରୁଣାଙ୍କୁ ଅନ୍ୟ କାର୍ଯ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 

Share