Categories: ଜାତୀୟ

କଂଗ୍ରେସର କୃଷ୍ଣପତ୍ର ବନାମ ଏନ୍‌ଡିଏର ଶ୍ୱେତପତ୍ର

ନୂଆଦିଲ୍ଲୀ,୯ା୨:କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଗୁରୁବାର ବ୍ଲାକ୍‌ ପେପର (କୃଷ୍ଣପତ୍ର) ଜାରି କରିଛି। ଗତ ୧୦ ବର୍ଷ ଶାସନ କାଳରେ ଦରଦାମ୍‌ ଓ ବେରୋଜଗାରି ବୃଦ୍ଧି ପାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ଏବଂ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ପ୍ରତି ଭେଦଭାବପୂର୍ଣ୍ଣ ବ୍ୟବହାର କରାଯାଇଥିବା ୫୪ ପୃଷ୍ଠା ସମ୍ବଳିତ ‘ଚାର୍ଜଶିଟ୍‌’ରେ କଂଗ୍ରେସ ଅଭିଯୋଗ ଆଣିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କ ଶାସନ କାଳକୁ ‘ଅନ୍ୟାୟର କାଳ’ ବୋଲି ସମାଲୋଚନା କରିଛନ୍ତି।
କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ବି ପାର୍ଲାମେଣ୍ଟରେ ନିଜ ମତ ଉପସ୍ଥାପନ କରନ୍ତି, ସେ ନିଜ ଦୁର୍ବଳତାକୁ ଲୁଚାଇ ଦିଅନ୍ତି। ଆମେ ସରକାରଙ୍କ ବିଫଳତା ସମ୍ପର୍କରେ କହିଲେ ତାକୁ ଗୁରୁତ୍ୱ ଦିଆଯାଉ ନାହିଁ। ତେଣୁ ଲୋକଙ୍କୁ ସରକାରଙ୍କ ବିଫଳତା ସମ୍ପର୍କରେ ଅବଗତ କରାଇବା ପାଇଁ ଆମେ ଏହି ବ୍ଲାକ୍‌ ପେପର ଆଣିଛୁ ବୋଲି ଖାର୍ଗେ କହିଛନ୍ତି। ମୋଦିଙ୍କ ଶାସନରେ ଦେଶର ଅର୍ଥନୀତି ଭୁଶୁଡ଼ିପଡ଼ିଛି। ବେକାରି ସମସ୍ୟା ବଢ଼ିଛି, କୃଷିକ୍ଷେତ୍ର ଉଜୁଡ଼ିଯାଇଛି, ମହିଳା ବିରୋଧୀ ଅପରାଧ ବଢ଼ିଛି, ସଂଖ୍ୟାଲଘୁଙ୍କ ଉପରେ ଅନ୍ୟାୟ ବହୁଗୁଣିତ ହୋଇଛି। ଆର୍ଥିକ ଅସମାନତା ବର୍ଗରେ କଂଗ୍ରେସ ବେକାରି ସଙ୍କଟ, ନିଯୁକ୍ତି ଅଭାବ, କୃଷକଙ୍କ ଦୁର୍ଦ୍ଦଶା ଓ ନିମ୍ନ ଶ୍ରମ ବଳ ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଛି।
ଡିଜେଲ ଓ ଦୈନନ୍ଦିନ ବ୍ୟବହୃତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ରେକର୍ଡ ସ୍ତରରେ ଥିବାବେଳେ ମୋଦି ସରକାର ଦରଦାମ ବୃଦ୍ଧି ଉପରେ ନୀରବ ରହିଛନ୍ତି। ମୋଦିଙ୍କୁ ଏସବୁ ଉପରେ ପ୍ରଶ୍ନ କଲେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି। ୨ କୋଟି ଆଶାୟୀଙ୍କୁ ନିଯୁକ୍ତି ଏବଂ ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ଏମ୍‌ଏସ୍‌ପି ପ୍ରଦାନ ଉପରେ ମୋଦି ଗ୍ୟାରେଣ୍ଟି ଦେଇଥିଲେ। ମୋଦି ଏଥିରେ ବିଫଳ ହୋଇ ନୂଆ ନୂଆ ଗ୍ୟାରେଣ୍ଟି ଦେଇଚାଲିଛନ୍ତି। କଂଗ୍ରେସ ଦେଶକୁ ସ୍ବାଧୀନ କରିଥିଲା। ୨୦୨୪ରେ ଦଳ ଭାଜପାର ଅନ୍ୟାୟର ଅନ୍ଧକାରରୁ ଦେଶକୁ ମୁକ୍ତ କରିବ ବୋଲି ଖାର୍ଗେ କହିଛନ୍ତି।

Share