Categories: ଜାତୀୟ

ବସ୍ତର ବନ୍ଦ ଡାକରା ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨ା୧୦ : ଛତିଶଗଡ଼ର ବସ୍ତର ଜିଲାରେ ଥିବା ଏନ୍‌ଏମ୍‌ଡିସି ନଗରନାର ଇସ୍ପାତ କାରଖାନାକୁ ଏକ ଘରୋଇ କମ୍ପାନୀକୁ ଦେଇଦେବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରି ଶାସକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ବସ୍ତର ବନ୍ଦ ଡାକରା ଦିଆଯାଇଛି। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗଦଳପୁର ଗସ୍ତରେ ଆସି ଭାଜପାର ଏକ ରାଲିକୁ ସମ୍ବୋଧିତ କରିବାକୁ ଥିବାବେଳେ କଂଗ୍ରେସ ବନ୍ଦ ଡାକରା ଦେଇଛି।

ନଗରନାର ଷ୍ଟିଲ୍‌ ପ୍ଲାଣ୍ଟକୁ ଘରୋଇ ସଂସ୍ଥାକୁ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ରବିବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଦୀପକ ବାଇଜି ଅଭିଯୋଗ କରିଛନ୍ତି। କେନ୍ଦ୍ରର ଏଭଳି ପଦକ୍ଷେପ ରାଜ୍ୟର ଆଦିବାସୀମାନଙ୍କ ଆଶା ଆକାଂକ୍ଷାକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ବଘେଲ କହିଛନ୍ତି। ଉକ୍ତ ପ୍ଲାଣ୍ଟକୁ ଘରୋଇକରଣ ନ କରିବାକୁ ସେ ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନିବେଦନ କରିଥିଲେ।

ସେହିବର୍ଷ ଏନେଇ ଛତିଶଗଡ଼ ବିଧାନସଭାରେ ମଧ୍ୟ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଯଦି କେନ୍ଦ୍ର ସରକାର ଉକ୍ତ ପ୍ଲାଣ୍ଟରୁ ପୁଞ୍ଜି ପ୍ରତ୍ୟାହାର କରିନେବାକୁ ଚାହାନ୍ତି, ତେବେ ରାଜ୍ୟ ସରକାର କିଣିବାକୁ ପ୍ରସ୍ତୁତ ବୋଲି ବଘେଲ କହିଛନ୍ତି। ତେବେ କେନ୍ଦ୍ର ସରକାର ନିୟମାବଳୀରେ ଏକ ଧାରା ଯୋଡ଼ି ଟେଣ୍ଡର ପ୍ରକ୍ରିୟାରେ ଛତିଶଗଡ଼ ସରକାର ଭାଗନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

Share