କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

ଝାରସୁଗୁଡ଼ା ଅଫିସ,୧୩ା୫: ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଦଳର ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ତାଙ୍କ ସମର୍ଥକଙ୍କ ସହିତ ଗୁରୁବାର ବ୍ରଜରାଜନଗର ଗଣ୍ଡଘୋରା ଗ୍ରାମର ଗ୍ରାମଦେବୀ ମା’ ମୂଳଗୁଡି ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ପ୍ରଚାରରେ ଦଳର ଜାତୀୟ ଓ ରାଜ୍ୟ ସ୍ତରୀୟ ନେତା ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାରଣନୀତି ସମ୍ପର୍କରେ ଲୋକଙ୍କ ନିକଟରେ ପହଞ୍ଚାଇବେ ବୋଲି ପ୍ରାର୍ଥୀ ପଟେଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଫଳରେ ଏଠାରେ କଂଗ୍ରେସ ଦଳ ବିଜୟୀ ହେବବୋଲି ସେ ଆଶା ରଖିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଦଳ ଜଣେ ଅଭିଜ୍ଞ ରାଜନୀତିଜ୍ଞଙ୍କୁ ପ୍ରାର୍ଥୀ କରିଥିବାରୁ କଂଗ୍ରେସ ନିଶ୍ଚିତ ବିଜୟ ଲାଭ କରିବ ବୋଲି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରଚାରର ପ୍ରଥମ ଦିନରେ ପ୍ରାର୍ଥୀ ପଟେଲଙ୍କ ସହିତ ଦଳୀୟ ନେତା ମହେନ୍ଦ୍ର ନାୟକ, ଜିଲା ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ, ଜିଲା ଓବିସି ସେଲ୍‌ ଅଧ୍ୟକ୍ଷ ସୁବ୍ରତ ପ୍ରଧାନ, ବ୍ରଜରାଜନଗର ଟାଉନ ସଭାପତି ପ୍ରଫୁଲ୍ଲ ପଣ୍ଡା, ଯୁବ କଂଗ୍ରେସ ସଭାପତି ଦେବେଶ ପଣ୍ଡା, ଲଖନପୁର ବ୍ଲକ୍‌ ସଭାପତି ଲିଙ୍ଗରାଜ ବଢେଇ, ପ୍ରମୋଦ ପଣ୍ଡା, ଆଲୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ା

Share