Categories: ଜାତୀୟ

୫ ରାଜ୍ୟରେ ଜିତିବାକୁ ଯୋଜନା, ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ କଂଗ୍ରେସ

ନୂଆଦିଲ୍ଲୀ,୧୩।୧୦: ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଏବଂ ତେଲଙ୍ଗାନାରେ ମତଦାନ ଅନୁଷ୍ଠିତ ହେବ। ଅନେକ ରାଜ୍ୟରେ ଏହି ମୁକାବିଲା ଭାଜପା ବନାମ କଂଗ୍ରେସ ମଧ୍ୟରେ ହେବାକୁ ଥିବା ବେଳେ କେତେକ ସ୍ଥାନରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି। ସମସ୍ତ ଦଳ ବିଭିନ୍ନ ରାଜ୍ୟ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଆରମ୍ଭ କରିଛନ୍ତି। ତେବେ କଂଗ୍ରେସ ଏ ପର୍ଯ୍ୟନ୍ତ ତାହା କରିନାହିଁ।

ଏଥି ସହିତ ଶୁକ୍ରବାର ୫ ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା କଂଗ୍ରେସ ପ୍ରକାଶ କରିପାରେ ବୋଲି ଆଶା କରାଯାଉଛି। ଛତିଶଗଡ ଏବଂ ମିଜୋରାମ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରଥମେ ଘୋଷଣା କରାଯାଇପାରେ। ଏହାର କାରଣ ହେଉଛି ଗୁରୁବାର କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଛତିଶଗଡ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଉପରେ ଆଲୋଚନା କରିଛି।

ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପାଇଁ ମଧ୍ୟ ଅତି କମରେ ୧୦୦ ଆସନରେ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିପାରେ। ଏଥିରେ କିଛି ପ୍ରତିଷ୍ଠିତ ଚେହେରାଙ୍କୁ ଟିକେଟ ଦିଆଯାଇପାରେ। ଗୁରୁବାର ଅନୁଷ୍ଠିତ ସିଇସି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।

Share