Categories: ଜାତୀୟ

ନିର୍ବାଚନରେ ପରାଜୟ ପରେ ଚନ୍ନିଙ୍କୁ ଦଳରୁ ହଟାଇବାକୁ ଜୋର ଧରିଲା ଦାବି

ଚଣ୍ଡିଗଡ଼,୧୫।୩: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାଜ୍ୟରେ କଂଗ୍ରେସର କନ୍ଦଳ ବଢ଼ିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ଉପରେ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚନ୍ନିଙ୍କ ମୁହଁ ଯୋଗୁ କଂଗ୍ରେସ ହାରିଛି ବୋଲି ଦଳର ନେତାମାନେ ଅଭିଯୋଗ କରିଛନ୍ତି। ଦୁର୍ନୀତିର ଅଭିଯୋଗ ସତ୍ତ୍ୱେ ଦଳ ମୁହଁ ବଦଳାଇ ନ ଥିଲା। ଯାହାଫଳରେ ପଞ୍ଜାବରେ କଂଗ୍ରେସକୁ ପରାଜିତ ହେବାକୁ ପଡ଼ିଛି ବୋଲି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର କହିଛନ୍ତି। ସେହିପରି କଂଗ୍ରେସ ନେତା ଦର୍ଶନ ବରାଡ କହିଛନ୍ତି, ଚନ୍ନିଙ୍କୁ ଦଳରୁ ହଟାଇବା ଉଚିତ୍‌। ପୁରା ପରିବାରକୁ ଚାକିରୀରୁ ହଟାଇବା ପରେ ଚନ୍ନି ତାଙ୍କୁ କଂଗ୍ରେସରେ ସାମିଲ କରିବାକୁ ଚାହୁଁଥିଲେ। ଚନ୍ନିଙ୍କ ଭାଇ କଂଗ୍ରେସ ବିରୋଧରେ ଲଢ଼େଇ କରୁଥିବା ବେଳେ ସେ ତାଙ୍କୁ ଅଟକାଇ ନ ଥିଲେ। ଚନ୍ନି ଓ ଜାଖରଙ୍କୁ ଦଳରୁ ବହିଷ୍କାର କରି ସମସ୍ତ ଶକ୍ତି ନବଜୋତ ସିଦ୍ଧୁଙ୍କୁ ଦିଆଯିବା ଉଚିତ ବୋଲି ଦର୍ଶନ କହିଛନ୍ତି। ଏହାପୂର୍ବରୁ ପୂର୍ବତନ ରାଜ୍ୟ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଚରଣଜିତ ସିଂ ଚନ୍ନିଙ୍କୁ ବୋଝ ବୋଲି କହିଥିଲେ। ସୂଚନାଯୋଗ୍ୟ, ପଞ୍ଜାବରେ ୧୧୭ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି ୯୨ଟି ସିଟ୍‌ ଜିତିଛି। ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇ ମାତ୍ର ୧୮ଟି ଆସନ ହାତେଇଥିଲା।

Share