Categories: ଜାତୀୟ

କେନ୍ଦ୍ରଠାରୁ ଶ୍ୱେତପତ୍ର ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୧୦(ପି.ଟି.):ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାରୁ କଶ୍ମୀରୀ ପଣ୍ଡିତମାନଙ୍କ ଗଣପଳାୟନ ଘଟଣାରେ କଂଗ୍ରେସ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛି। ୮ ବର୍ଷ ଶାସନରେ କଶ୍ମୀରର ସଂଖ୍ୟାଲଘୁମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଭାଜପା ନେତୃତ୍ୱାଧୀନ ସରକାର ଶ୍ୱେତପତ୍ର ପ୍ରକାଶ କରିବାକୁ କଂଗ୍ରେସ ଦାବି କରିଛି। ଉପତ୍ୟକାରେ କଶ୍ମୀରୀ ପଣ୍ଡିତମାନଙ୍କୁ ଟାର୍ଗେଟ କିଲିଂ କରାଯାଉଥିବାରୁ ମୋଦି ସରକାର ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛି। ନିକଟରେ ଆତଙ୍କବାଦୀମାନେ କଶ୍ମୀରୀ ପଣ୍ଡିତ ଓ ଅନ୍ୟମାନଙ୍କୁ ଏକାଧିକ ଥର ଟାର୍ଗେଟ ଆକ୍ରମଣ କଲେଣି। ତେଣୁ ଭୟରେ ଶୋପିଆନ୍‌ର ଚୌଧରୀଗୁଣ୍ଡ୍‌ ଗ୍ରାମରୁ ୧୦ କଶ୍ମୀରୀ ପଣ୍ଡିତ ପରିବାର ଜମ୍ମୁ ପଳାଇଛନ୍ତି। ସେମାନଙ୍କର ଉପତ୍ୟକାକୁ ଫେରିବା ଯୋଜନା ନାହିଁ ବୋଲି ଏହି ସଂଖ୍ୟାଲଘୁ ସଦସ୍ୟମାନେ କହିଛନ୍ତି। କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ କାର୍ଯ୍ୟକୁ ଫେରିବା ଲାଗି ଧମକ ଦିଆଯାଉଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୩୦ କଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କିଲିଂ କରାଗଲାଣି ବୋଲି କଂଗ୍ରେସ ଗଣମାଧ୍ୟମ ବିଭାଗ ମୁଖ୍ୟ ପଓ୍ବନ ଖେରା କହିଛନ୍ତି। ଏହା ଉପରେ ମୋଦି ସରକାର ଶ୍ୱେତପତ୍ର ପ୍ରକାଶ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ କଶ୍ମୀରୀ ପଣ୍ଡିତମାନଙ୍କ ଗଣପଳାୟନ ଖବରକୁ ଶୋପିଆନ୍‌ ପ୍ରଶାସନ ଖଣ୍ଡନ କରିଛି।

Share