ନୂଆଦିଲ୍ଲୀ,୧୬।୫: ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି କହିଥିଲେ। ଯାହାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ କାହାର ଦୟା ଉପରେ ନିର୍ବାଚନ ଲଢେ ନାହିଁ, ଏବଂ ଯଦି ସେମାନଙ୍କର ଏହି ଭୁଲ ଧାରଣା ଅଛି, ତେବେ ଏହାକୁ ସେମାନଙ୍କ ମନରୁ ହଟାଇବା ଉଚିତ୍।
ଅଧୀର ରଞ୍ଜନ କହିଛନ୍ତି, ହିମାଚଳ ପ୍ରଦେଶ ଏବଂ କର୍ନାଟକରେ କଂଗ୍ରେସ ନିଜ ଦମ୍ରେ ଜିତିଛି। ଏହି ନିର୍ବାଚନ ସମୟରେ ମମତା ଥରେ ମଧ୍ୟ ଜନତାଙ୍କୁ କହିନାହାନ୍ତି କି ଏହା ଭାଜପା ଏବଂ କଂଗ୍ରେସ ମଧ୍ୟରେ ମୁକାବିଲା, ତେଣୁ କଂଗ୍ରେସକୁ ଭୋଟ ଦିଅ। ସେ ଆହୁରି କହିଛନ୍ତି, ମମତା ଗୋଆରେ କଂଗ୍ରେସକୁ ହରାଇବାକୁ ଲାଗିଥିଲେ। ଏପରିକି ମେଘାଳୟ ଏବଂ ତ୍ରିପୁରାରେ ମଧ୍ୟ ସମାନ କାର୍ଯ୍ୟ କରିଥିଲେ। ନିର୍ବାଚନ କ୍ଷେତ୍ରରେ କଂଗ୍ରେସକୁ ଦୁର୍ବଳ ତଥା ପରାସ୍ତ କରିବାକୁ ମମତା ବାନାର୍ଜୀ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ।
ସୋମବାର ମୁଖ୍ୟମନ୍ତ୍ରୀ ମମତା ୨୦୨୪ ଲୋକ ସଭା ନିର୍ବାଚନରେ ଯେଉଁ ସବୁ ସ୍ଥାନରେ କଂଗ୍ରେସର ଭଲ ସ୍ଥିତି ରହିଛି, ସେଠାରେ ଟିଏମସି ସମର୍ଥନ କରିବ। କିନ୍ତୁ ସମର୍ଥନ ଆଶା କରୁଥିବା କଂଗ୍ରେସକୁ ମଧ୍ୟ ଟିଏମସି ପ୍ରତି ସମାନ ଆଚରଣ ପ୍ରଦର୍ଶନ କରିବାକୁ ପଡିବ ବୋଲି କହିଥିଲେ। ଯାହାକୁ ନେଇ କଂଗ୍ରେସ ନେତା ତାଙ୍କୁ ଟାର୍ଗେଟ କରିଛନ୍ତି।