Categories: ଜାତୀୟ

ବିରୋଧୀଙ୍କ ନେତୃତ୍ୱ ନେବାକୁ ଚାହୁଁନି କଂଗ୍ରେସ

ନୂଆଦିଲ୍ଲୀ,୨୦।୮ : ବିରୋଧୀଙ୍କ ନେତୃତ୍ୱ ନେବା ଉପରେ କଂଗ୍ରେସର ସାମର୍ଥ୍ୟକୁ ଏବେ ସନ୍ଦେହ କରାଯାଉଛି। ଏଣୁ କଂଗ୍ରେସ ବିରୋଧୀ ଦଳର ନେତୃତ୍ୱ ନେବାକୁ ଚାହୁଁ ନାହିଁ। ୧୯ଟି ବିରୋଧୀ ଦଳର ନେତାଙ୍କ ସହ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଏଭଳି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

”କେନ୍ଦ୍ରରୁ ଭାଜପା ନେତୃତ୍ୱାଧୀନ ସରକାରକୁ ହରାଇବା ପାଇଁ ଆମକୁ ବ୍ୟକ୍ତିଗତ ସ୍ବାର୍ଥକୁ ଭୁଲିବାକୁ ପଡ଼ିବ। ଏକତ୍ରିତ ହୋଇ କାର୍ଯ୍ୟ କରିବାର ସମୟ ଆସିଯାଇଛି। ୨୦୨୪ ଲୋକ ସଭା ନିର୍ବାଚନ ଜିତିବାର ଲକ୍ଷ୍ୟକୁ ବାସ୍ତବ ରୂପ ଦେବା ଲାଗି ଅନ୍ୟ କୌଣସି ଉପାୟ ନାହିଁ। ସାଧାରଣ ନିର୍ବାଚନ ଜିତିବାକୁ ହେଲେ ଆମକୁ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରିବା ପଡ଼ିବ“ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ବୈଠକରେ କହିଛନ୍ତି।

ଭର୍ଚୁଆଲ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ଆରଜେଡି ନେତା ତେଜସ୍ବୀ ଯାଦବ, ସିପିଏମ୍‌ ନେତା ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ପରେ ନେତାମାନଙ୍କ ପକ୍ଷରୁ ଏକ ମିଳିତ ବିବୃତି ପ୍ରକାଶ କରାଯାଇଛି। ଏଥିରେ ସେମାନେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା, ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗର ତଦନ୍ତ ଏବଂ ଟିକାକରଣ ନୀତିରେ ପରିବର୍ତ୍ତନ ଲାଗି ଦାବି କରିଥିଲେ।

Share