ଟାଟା ପାଓ୍ବାର ଅଫିସ୍‌ ଉପରକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ବର, ୨୮ା୬(ସୁନିତ୍‌ ମିଶ୍ର): ଟାଟା ପାଓ୍ବାରର ମନମୁଖି କାର୍ଯ୍ୟକଳାପ ନେଇ ଏବେ ସାଧାରଣରେ ଦିନକୁ ଦିନ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଉଛି। ବିଜୁଳିି ସେବା ଯୋଗାଣରେ ଏହି କମ୍ପାନୀ ଏବେ ଭିନ୍ନଭିନ୍ନ ତରିକାରେ ଓଡ଼ିଶାବାସୀଙ୍କୁ ଠକୁଥିବା ନେଇ ବାରମ୍ବାର ନୂଆ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି। ଫଳରେ ବିରୋଧୀ ଏବେ ଟାଟା ପାଓ୍ବାର ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି।
ଅଘୋଷିତ ବିଜୁଳିକାଟ୍‌ ଏବଂ ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ ଅଭିଯୋଗ ନେଇ ରାଜ୍ୟର ବିଭିନ୍ନ ଜିଲାରେ କଂଗ୍ରେସ ମଙ୍ଗଳବାର ଟାଟା ପାଓ୍ବାର ଅଫିସ୍‌ ଘେରାଉ କରିଛି। ଶହ ଶହ କଂଗ୍ରେସ କର୍ମୀ ଜିଲାସ୍ତରରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଛି। ନୟାଗଡ଼, କେନ୍ଦ୍ରାପଡ଼ା, କୋରାପୁଟ ଆଦି ଜିଲାରେ ଆନ୍ଦୋଳନକୁ ତୀବ୍ର କରାଯାଇଛି।
ସମାନ ଭାବେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ବହୁ ନେତୃବୃନ୍ଦ ତଥା ଦଳୀୟ କର୍ମୀ ପାୱାରହାଉସ ଛକସ୍ଥିତ ଟାଟା ପାୱାର ଅଫିସକୁ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୩ ବର୍ଷ ଧରି ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପରିବର୍ତ୍ତେ ପ୍ରତିଦିନ ଘନଘନ ବିଦ୍ୟୁତ୍‌କାଟ ହେଉଛି। ବିଦ୍ୟୁତ ବିଲ୍‌ରେ ଜାଣିଶୁଣି ଠକେଇ କରିବା, ସର୍ବନିମ୍ନ ମାସିକ ଦେୟ ଆଦାୟ, ପ୍ରକୃତ ବ୍ୟବହାର ହୋଇଥିବା ବିଦ୍ୟୁତ ୟୁନିଟ୍‌ଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ନେଇ ଟାଟା ପାୱାର କାର୍ଯ୍ୟାଳୟକୁ ଜିଲା କଂଗ୍ରେସର ନେତୃବୃନ୍ଦମାନେ ଘେରାଉ କରିଥିଲେ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ର ନିର୍ଦ୍ଦେଶ ପରେ ମଧ୍ୟ ଟାଟା ପାୱାର ଯେଉଁ ୨,୭୨୭ କୋଟି ଟଙ୍କା ଅଧିକ ବିଦ୍ୟୁତ୍‌ ଆଦାୟ କରିଛି, ତାହାକୁ ଏ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ କାହିଁକି ଫେରାଉ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ସେହିପରି ଜାଣିଶୁଣି ପ୍ରତି ମାସରେ ଟାଟା ପାୱାର ଓଡ଼ିଶାରୁ ୩୫ରୁ ୪୦ କୋଟି ଟଙ୍କା ଲୁଟ୍‌ କରୁଥିଲା ବେଳେ ଓଡ଼ିଶା ସରକାର କମ୍ପାନୀକୁ ଏଥିରେ ସହଯୋଗ କରୁଛନ୍ତି ବୋଲି କଂଗ୍ରେସ କହିଛି। ଜିଲା କଂଗ୍ରେସ ନେତୃବୃନ୍ଦମାନେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ବିଭିନ୍ନ ସ୍ଲୋଗାନ ଦେଇଥିବା ଓ ସ୍ଥଳବିଶେଷରେ ପୋଲିସ ସହିତ ଧସ୍ତାଧସ୍ତି ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଜିଲା କଂଗ୍ରେସ ତରଫରୁ ଟାଟା ପାୱାର ସିଇଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ଓ ସେହି କାର୍ଯ୍ୟାଳୟର ଅଧିକାରୀବୃନ୍ଦଙ୍କ ସହିତ ଏହି ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟବ୍ୟାପୀ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share