Categories: ଜାତୀୟ

୬ ବର୍ଷ ପାଇଁ ୧୩ ନେତାଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ

ଚଣ୍ଡିଗଡ଼,୨୭।୯: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ରାଜ୍ୟ କଂଗ୍ରେସ କମିଟି ଶୁକ୍ରବାର ଏକ ବଡ ପଦକ୍ଷେପ ନେଇଛି। ଦଳ ୧୩ ଜଣ ନେତା ଏବଂ କର୍ମୀଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରି ଏକ ବିଜ୍ଞପ୍ତି ଜାରି କରିଛି।
କଂଗ୍ରେସ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ବିଭିନ୍ନ ଯୋଗାଯୋଗ ମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ କେତେଜଣ ନେତା ବିଧାନସଭା ନିର୍ବାଚନରେ ଦଳର ପ୍ରାର୍ଥୀଙ୍କ ବିରୋଧରେ ସକ୍ରିୟତା ପ୍ରଦର୍ଶନ କରୁଥିଲେ, ଯେଉଁଥିପାଇଁ ଦଳରେ ଅନୁଶାସନହିନତା ବଢୁଥିଲା। ଏହାକୁ ଦୃଷ୍ଟିରେ ରଖି ଦଳର ୧୩ନେତାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ଦିନ ଧରି ହରିୟାଣା କଂଗ୍ରେସରେ ଦଳବାଦ ସମ୍ପର୍କରେ ଖବର ଆସିଛି। ତେବେ କଂଗ୍ରେସ ବିଶ୍ୱାସ କରେ ଯେ ହରିୟାଣା କଂଗ୍ରେସରେ କୌଣସି ଦଳବାଦ ନାହିଁ ଏବଂ ସମସ୍ତେ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ସମୟରେ କଂଗ୍ରେସ ୧୩ ବିଦ୍ରୋହୀ ନେତାଙ୍କୁ ବହିଷ୍କାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନାଯୋଗ୍ୟ, ହରିୟାଣାରେ ନୂତନ ସରକାର ଗଠନ ପାଇଁ ଅକ୍ଟୋବର ୫ରେ ରାଜ୍ୟର ୯୦ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଯେଉଁଠାରେ, ଅକ୍ଟୋବର ୮ରେ ଫଳାଫଳ ଘୋଷଣା କରାଯିବ।

Share