Categories: ଜାତୀୟ

ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ଘୋଡା ବେପାର ଡର, ଡିକେ ଶିବକୁମାରଙ୍କୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ,୨।୧୨: ଦିନକ ପରେ ୫ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ମ୍ୟାଚ କୁହାଯାଉଥିବା ଏହି ନିର୍ବାଚନରେ କିଏ ସରକାର ଗଢିବ ଆଉ କାହାର ଆଶା ମଉଳିବ ତାହା ଜଣାପଡିବ। ନଭେମ୍ବର ୩୦ ସାରେ ୫ରାଜ୍ୟର ଏକଜିଟ୍‌ ପୋଲ ବାହାରିବା ପରେ କଂଗ୍ରେସ ଶିବିରରେ ଆତଙ୍କ ଖେଳି ଯାଇଛି। ଏହାରି ଭିତରେ କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ସକ୍ରିୟ ହୋଇଯାଇଛନ୍ତି। କଂଗ୍ରେସ ହାଇକମାଣ୍ଡ ତାଙ୍କୁ ବଡ ଦାୟିତ୍ୱ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ କି, ଶାସନ କ୍ଷମତାରେ ଥିବା ଭାଜପା ଉପରେ କଂଗ୍ରେସ ସବୁବେଳେ ହର୍ସ ଟ୍ରେଡିଙ୍ଗ ବା ଘୋଡା ବେପାର ନେଇ ଅଭିଯୋଗ ଆଣୁଛି। ତେବେ ତାହା କାଳେ ଓଲଟା ସେମାନଙ୍କ କ୍ଷେତ୍ରରେ ଦେଖାଯିବ ଏନେଇ କଂଗ୍ରେସର ବଡ ବଡ ନେତା ଘାବରେଇ ଯାଇଛନ୍ତି।

କହିରଖୁଛୁ କି, ୫ରାଜ୍ୟର ବିଧାନସଭା ନିର୍ବାଚନ ଏକଜିଟ୍‌ ପୋଲ ଅନୁସାରେ ରାଜସ୍ଥାନର ମଙ୍ଗ ପରିବର୍ତ୍ତନ ହେବାର ଅନୁମାନ କରାଯାଉଛି। ଅନ୍ୟପଟେ ଛତିଗଡରେ କଂଗ୍ରେସ କ୍ଷମତାରେ ରହିବ ବୋଲି ପୋଲ୍‌ କହିଛି। ମଧ୍ୟ ପ୍ରଦେଶରେ କଡା ଟକ୍କର ହୋଇଥିବାବେଳେ ସେଠାରେ ଭାଜାପା ପୁଣି ଫେରିବାର ଆଶା ରହିଛି। ଯେତେବେଳେ କି କଂଗ୍ରେସ ପ୍ରଥମ ଥର ପାଇଁ ତେଲଙ୍ଗାନାରେ ସରକାର ଗଢିବା ନେଇ ଦେଖାଯାଉଛି। ସେହିପରି ମିଜୋରାମରେ ଝୁଲା ବିଧାନସଭା ରହିପାରେ ବୋଲି ଅନୁମାନ କରାଯାଉଛି। ଏସବୁ ଭିତରେ ସମସ୍ତଙ୍କ ନଜର ଡିସେମ୍ବର ୩ର ଫଳାଫଳ ଉପରେ ରହିଛି।

କିନ୍ତୁ ଏହାରି ଭିତରେ କଂଗ୍ରେସର ଘନଘନ ବୈଠକ ହେବା ସହ ଦଳର ହାଇକମାଣ୍ଡ ଶିବକୁମାରଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ଶିବକୁମାର ୫ରାଜ୍ୟର ସବୁ ବିଧାୟକଙ୍କୁ ନେଇ କଂଗ୍ରେସ ଶାସିତ ରାଜ୍ୟ କର୍ନାଟକରେ ପହଞ୍ଚିଛନ୍ତି। ସେଠାରେ ହୋଟେଲ ବୁକ୍‌ କରି ସବୁ ବିଧାୟକଙ୍କୁ ରଖିବାର ବ୍ୟବସ୍ଥା କରିଛନ୍ତି।

Share