ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସିଦ୍ଧାର୍ଥ ନିମାପଡା ବୁଲି ବୁଲି ନିଜର ସଂଗଠନ କରୁଥିଲେ। ତେବେ ସାନଭାଇ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ମନ୍ମଥଙ୍କୁ ବିଜେଡି ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିବା ପରେ ସିଦ୍ଧାର୍ଥ ଜଟଣୀରୁ ବିଧାନସଭା ପାଇଁ ଲଢ଼ିବେ ବୋଲି ଘୋଷଣା କରିଥିଲେ।

ଏବେ କିନ୍ତୁ କଂଗ୍ରେସ ସିଦ୍ଧାର୍ଥଙ୍କୁ ନିମାପଡ଼ାରୁ ଟିକେଟ ଦେଇଛି। ଏହାରି ମଧ୍ୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବାପା ସୁରେଶ ରାଉତରାୟଙ୍କୁ କଂଗ୍ରେସ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବିତ କରିଛି।

ସିଦ୍ଧାର୍ଥଙ୍କ ବ୍ୟତୀତ ଶନିବାର ଅନ୍ୟ ୧୬ ବିଧନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୂଭୂଷଣ ରାଉତ, କଣ୍ଟାମାଳରୁ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ପିପିଲି ଜ୍ଞାନରଞ୍ଜନ ପଟ୍ଟନାୟକ, ଜୟଦେବରୁ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ କୁମାର ସାହୁ, ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ ଏବଂ ଗୋପାଳପୁରରୁ ଶ୍ୟାମ ସୁନ୍ଦର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Share