ନୂଆଦିଲ୍ଲୀ,୨୮।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ସମ୍ପ୍ରଦାୟକୁ ସମ୍ବୋଧିତ କରି ଆଜାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କଠାରୁ ଲୋକମାନେ ଶିଖିବା ଆବଶ୍ୟକ, ଯିଏ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେ ତାଙ୍କର ମୂଳ କଥା ମନେ ରଖିଛନ୍ତି ଏବଂ ଗର୍ବର ସହିତ ନିଜକୁ ‘ଚା-ୱାଲା’ କହିଛନ୍ତି। ଯଦିଓ ନରେନ୍ଦ୍ର ମୋଦିଙ୍କ ସହ ମୋର ରାଜନୈତିକ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ, କିନ୍ତୁ ପ୍ରଧାନମନ୍ତ୍ରୀ ଜଣେ ନମ୍ର ବ୍ୟକ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ଗୃହରେ ଗୁଲାମ ନବୀ ଆଜାଦଙ୍କ ବିଦାୟ ସମ୍ବୋଧନରେ ଭାବପ୍ରବଣ ହୋଇଥିଲେ। ରାଜ୍ୟ ସଭାରେ ବିରୋଧୀଦଳର ନେତା ଭାବରେ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହେବା ସମୟରେ ମୋଦି ପ୍ରାୟ ୧୩ ମିନିଟର ବିଦାୟ ଅଭିଭାଷଣ ଦେଇଥିଲେ। ଏହି ସମୟରେ ମୋଦିଙ୍କ ଆଖିରେ ଲୁହ ଆସିଯାଇଥିଲା।