ଭୋପାଳ, ୧୩।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପାଇଁ କଂଗ୍ରେସ ସଙ୍କଟ ସୃଷ୍ଟି କରିଛି। ଶିବରାଜଙ୍କ ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି। ସମ୍ପୃକ୍ତ ମନ୍ତ୍ରୀମାନଙ୍କୁ ପଦରୁ ହଟାଇବା ଲାଗି କଂଗ୍ରେସ ଦାବି କରିଛି। ରାଜ୍ୟରେ ୨୮ଟି ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଯାଉଛି। ଅଭିଯୋଗ ଅଣାଯାଇଥିବା ମନ୍ତ୍ରୀମାନେ ପୂର୍ବରୁ ବିଧାୟକ ଥିଲେ। ଏବେ ସେମାନେ ନିର୍ବାଚନ ଲଢୁଛନ୍ତି। ମନ୍ତ୍ରୀମାନେ ନିର୍ବାଚନ ଜିଣିବା ପାଇଁ ନିଜ ପଦର ଦୂରୁପଯୋଗ କରୁଥିବା କଂଗ୍ରେସ କହିଛି। ତେବେ ଭାଜପା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କୌଣସି ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଅବା ନିଜ ପଦବୀର ଅପବ୍ୟବହାର କରି ନ ଥିବା ଭାଜପା କହିଛି। ସମ୍ପୃକ୍ତ ମନ୍ତ୍ରୀମାନେ ପୂର୍ବରୁ କଂଗ୍ରେସ ବିଧାୟକ ଥିଲେ। ତେବେ ପରବର୍ତ୍ତୀ ସମୟରେ ସେମାନେ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।