Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ରାଇଟ୍‌ ହ୍ୟାଣ୍ଡ, ହେଲେ ଏହି ନେତାଙ୍କ ନେତୃତ୍ୱରେ ୩୩ଟି ରାଜ୍ୟ ହରାଇଲାଣି କଂଗ୍ରେସ

ନୂଆଦିଲ୍ଲୀ,୧୦।୧୧: ହରିୟାଣାରେ ନିର୍ବାଚନୀ ଦଙ୍ଗଲ ପରେ କଂଗ୍ରେସ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ଦିଲ୍ଲୀରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ପରାଜୟର ଦାଗୀ ନେତାମାନଙ୍କୁ ଖୋଜା ଚାଲିଛି। ଏସବୁ ମଧ୍ୟରେ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଶୀର୍ଷରେ ଅଛନ୍ତି। କେସି ଭେନୁଗୋପାଳ ସଂଗଠନର ସାଧାରଣ ସମ୍ପାଦକ ହେବା ପରେ ହରିୟାଣା ହେଉଛି ୩୩ତମ ରାଜ୍ୟ ଯେଉଁଠାରେ କଂଗ୍ରେସ ନିର୍ବାଚନରେ ହାରିଛି।

କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା ହରିୟାଣା ପରାଜୟ ପରେ କିଛି ବରିଷ୍ଠ ନେତାଙ୍କ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି । ସେଥିରେ କେସି ଭେନୁଗୋପାଳଙ୍କ ଠାରୁ ଆରମ୍ଭ କରି ଯେଉଁମାନେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଦାୟୀ କରାଯାଉଛି। ଜାନୁୟାରୀ ୨୦୧୯ରେ ଅଶୋକ ଗେହେଲଟଙ୍କ ସ୍ଥାନରେ କେସି ଭେନୁଗୋପାଳଙ୍କୁ ସଂଗଠନର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା। ସେହି ଦିନଠାରୁ ଭେନୁଗୋପାଳ ଏହି ପଦବୀରେ ରହିଆସିଛନ୍ତି। କେବଳ ଏତିକି ନୁହେଁ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ୨୦୨୨ରେ ସମାନ ପଦବୀ ଦାବି କରିଥିଲେ, ଯାହା କଂଗ୍ରେସ ଦେବାକୁ ମନା କରିଦେଇଥିଲା।

ଭେନୁଗୋପାଳ ସଂଗଠନର ସାଧାରଣ ସମ୍ପାଦକ ଥିବାବେଳେ ୨ଟି ଲୋକ ସଭା ନିର୍ବାଚନ ଏବଂ ୩୪ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିମଧ୍ୟରୁ କଂଗ୍ରେସ କେବଳ ୩ ନିର୍ବାଚନରେ (କର୍ନାଟକ, ତେଲଙ୍ଗାନା ଏବଂ ହିମାଚଳପ୍ରଦେଶ) ରେ ବିଜୟୀ ହେବାରେ ସକ୍ଷମ ହୋଇଥିଲେ। କୌତୁହଳର ବିଷୟ, ଭେନୁଗୋପାଳଙ୍କ ନିଜସ୍ବ ରାଜ୍ୟ କେରଳରେ ମଧ୍ୟ ୨୦୨୧ରେ କଂଗ୍ରେସ ହାରିଥିଲା। ୨୦୧୯ ଲୋକ ସଭା ନିର୍ବାଚନରେ କଂଗ୍ରେସ ଭେନୁଗୋପାଳଙ୍କ ପାରମ୍ପାରିକ ଆସନ ହରାଇଛି। ଅବଶ୍ୟ, ୨୦୨୪ରେ ଭେନୁଗୋପାଳ ନିଜେ ଏହି ଆସନ ଜିତି ସଦନ ପହଞ୍ଚିଛନ୍ତି। ଭେନୁଗୋପାଳଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଭଳି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହୋଇପାରି ନାହିଁ। କେବଳ ଏତିକି ନୁହେଁ, ଓଡିଶା, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଦଳ ସମ୍ପୂର୍ଣ୍ଣ ପରିଷ୍କାର ହୋଇଛି।

ଗୁଜୁରାଟ, ବିହାର ଏବଂ ଆସାମ ଭଳି ରାଜ୍ୟରେ ଦଳ ପୂର୍ବ ଅପେକ୍ଷା ଦୁର୍ବଳ ହୋଇପଡିଛି। ୨୦୨୪ ଲୋକ ସଭା ନିର୍ବାଚନରେ ନିଶ୍ଚିତ ଭାବରେ କଂଗ୍ରେସ ଆସନରେ ବୃଦ୍ଧି ଘଟିଛି, କିନ୍ତୁ ଏହା ୨୦୦୯ ଓ ୨୦୦୪ ତୁଳନାରେ ଏହି ସଂଖ୍ୟା ବହୁତ କମ ଅଟେ।

Share