ନୂଆଦିଲ୍ଲୀ,୮।୪ : ତାମିଲନାଡୁର ଡିଣ୍ଡିଗୁଲ ଜିଲା କଂଗ୍ରେସ ସଭାପତି ମାଣିକନ୍ଦନ ବିଚାରପତିଙ୍କ ଜିଭ କାଟିବା ଲାଗି ଦେଇଥିବା ବିବୃତ୍ତିକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଛି। ଏ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉଦ୍ୟୋଗ,ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସର ଭଲ ଦିନ କିପରି ବିତି ଯାଇଛି ତାହା ଏଭଳି ବିବାଦୀୟ ମନ୍ତବ୍ୟରୁ ଜଣାପଡୁଛି। କଂଗ୍ରେସର ଭଲ ଦିନ ଅତୀତରେ ରହି ଯାଇଛି। ଆଉ ଏହି ଦଳ ଗୁଣ୍ଡାମାନଙ୍କ ଦଳ ପାଲଟିଯାଇଛି। ତେଣୁ ସେମାନେ ବିଚାରପତିଙ୍କ ଜିଭ କାଟିବାକୁ କହୁଛନ୍ତି ବୋଲି ଚଦ୍ରଶେଖର ତାତ୍ସଲ କରିଛନ୍ତି। ସୂଚନାଯୋଗ୍ୟ ମାଣିକନ୍ଦନ କହିଥିଲେ, ଯେତେବେଳେ ଆମେ କ୍ଷମତାକୁ ଆସିବୁ, ସେତେବେଳେ ରାହୁଲ ଗାନ୍ଧୀଙ୍କୁ ଜେଲକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କ ଜିଭ କାଟିଦେବୁ। ତେବେ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି।