Categories: ଜାତୀୟ

କଂଗ୍ରେସର ଅଧ୍ୟକ୍ଷ ନାହାନ୍ତି, ଜଣାନାହିଁ କିଏ ନିଷ୍ପତ୍ତି ନେଉଛି: କପିଲ ସିବଲ

ନୂଆଦିଲ୍ଲୀ,୨୯।୯: କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ଥମିବାର ନାଁ ଧରୁନାହିଁ। ବୁଧବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଏକ ଖବରଦାତା ସମ୍ମିଳନୀ ଡକାଇ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି। ସେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ କଂଗ୍ରେସର କୌଣସି ଅଧ୍ୟକ୍ଷ ନାହାନ୍ତି, ମୁଁ ଜାଣେ ନାହିଁ କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛି। ଲୋକମାନେ ଦଳ ଛାଡୁଛନ୍ତି, ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଅଛି । ଏହି ସମୟରେ ସେ କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ଡକାଇବାକୁ ସେ ଦାବି କରିଛନ୍ତି। ଗତ ବର୍ଷ ଅଗଷ୍ଟରେ ଆମେ ସିଡବବ୍ଲ୍ୟୁଡିସି ଏବଂ ଅଧ୍ୟକ୍ଷ ପଦବୀକୁ ନେଇ ନିର୍ବାଚନ କରିବାକୁ ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲୁ। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପେକ୍ଷା କରିଛୁ। ଅପେକ୍ଷା କରିବାର ମଧ୍ୟ ସୀମା ଅଛି। ଆମେ କେତେ ସମୟ ଅପେକ୍ଷା କରିବୁ? ଆମେ କେବଳ ଏକ ଶକ୍ତିଶାଳୀ ସାଂଗଠନିକ ଗଠନ ଚାହୁଁ। କିଛି ଜିନିଷ ନିଶ୍ଚୟ ହେବ। ଯେକୌଣସି ପ୍ରସଙ୍ଗ ସିଡବବ୍ଲ୍ୟୁଡିସରେ ଆଲୋଚନା ହେବା ଉଚିତ୍‌। ପଞ୍ଜାବର ପରିସ୍ଥିତି ଉପରେ ଆଲୋଚନା ହେବା ଉଚିତ୍‌। ଆମେ କାହା ବିରୁଦ୍ଧରେ ନାହୁଁ, ଆମେ ଦଳ ସହ ଅଛୁ, କିନ୍ତୁ ପ୍ରକୃତ କଥା ହେଉଛି ଯେ ଆମ ଦଳର କୌଣସି ନିର୍ବାଚତ ଅଧ୍ୟକ୍ଷି ନାହାଁନ୍ତି। ଦିଲ୍ଲୀରୁ ପ୍ରଦେଶ କଂଗ୍ରେସ କମିଟି ନିୟନ୍ତ୍ରଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Share