Categories: ଜାତୀୟ

ଏଏପିର ପ୍ରେସର ପଲିଟିକ୍ସରେ ଫିସିଲା କଂଗ୍ରେସ!

ଚଣ୍ଡିଗଡ଼,୯।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ପାଇଁ ଆମ ଆଦମୀ ପାର୍ଟି(ଏଏପି) ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଏକ ଦ୍ୱନ୍ଦ୍ୱ ରହିଛି। ସୋମବାର ଏଏପିର ହରିୟାଣା ୟୁନିଟ ମୁଖ୍ୟ ସୁଶୀଲ ଗୁପ୍ତା କହିଛନ୍ତି ଯେ ଯଦି ଅକ୍ଟୋବର ୫ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିବାରେ ବିଫଳ ହୁଏ ତେବେ ଆଜି ବା ସୋମବାର ସା ସୁଦ୍ଧା ଦଳ ସମସ୍ତ ୯୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରଦେବ। ଗୁପ୍ତା ପିଟିଆଇକୁ କହିଛନ୍ତି ଯେ ହରିୟାଣାର ପ୍ରତ୍ୟେକ ଏଏପି କର୍ମୀ ସମସ୍ତ ୯୦ ବିଧାନସଭା ଆସନରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି।
ନିର୍ବାଚନ ପାଇଁ ମେଣ୍ଟ ସମ୍ପର୍କରେ କଂଗ୍ରେସର ଏଏପିକୁ ଦେଇଥିବା ଉତ୍ତର ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଆମେ ସା ସୁଦ୍ଧା ୯୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବୁ। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ଏଏପି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ସିଟ ସଂଖ୍ୟାକୁ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଅଟକି ରହିଛି। କଂଗ୍ରେସ ପାଞ୍ଚଟି ସିଟ ପ୍ରଦାନ କରୁଥିବାବେଳେ ଦଳ ୧୦ଟି ସିଟ ଦାବି କରୁଛି। ଗୁପ୍ତା କହିଛନ୍ତି ଯେ କଂଗ୍ରେସର ପ୍ରତିକ୍ରିୟାକୁ ଏଏପି ଅପେକ୍ଷା କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଗ୍ରହଣ କରାଯାଇ ନାହିଁ।
ଏଏପି ସହିତ ମେଣ୍ଟର କଳ୍ପନାଜଳ୍ପନା ମଧ୍ୟରେ ରବିବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଉଚାନା କାଲାନରୁ ବ୍ରିଜେନ୍ଦ୍ର ସିଂ ଏବଂ ଗୁରୁଗ୍ରାମରୁ ମୋହିତ ଗ୍ରୋଭର ପ୍ରାର୍ଥୀ କରିଛନ୍ତି। ଏହି ତାଲିକା ସହିତ କଂଗ୍ରେସ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମୋଟ ୪୧ ଜଣ ପ୍ରାର୍ଥୀ ଘୋଷଣା କରିଛି। ବ୍ରିଜେନ୍ଦ୍ର ସିଂ ଏବଂ ଗ୍ରୋଭରଙ୍କ ବ୍ୟତୀତ କଂଗ୍ରେସ ଥାନେସରରୁ ଅଶୋକ ଆରୋରା, ଗାନ୍ନୌରରୁ କୁଲଦୀପ ଶର୍ମା, ତୋହାନାରୁ ପରବୀର ସିଂ, ତୋଶାମରୁ ଅନିରୁଦ୍ଧ ଚୌଧୁରୀ, ମହମରୁ ବଳରାମ ଡାଙ୍ଗି, ନାଙ୍ଗଲ ଚୌଧୁରୀରୁ ମଞ୍ଜୁ ଚୌଧୁରୀ ଏବଂ ବାଦଶାହାପୁରରୁ ଭଜନ ଯାଦବ ପ୍ରାର୍ଥୀ ହୋଇଛନ୍ତି।

Share