Categories: ଜାତୀୟ

କଂଗ୍ରେସ ଡିପ୍‌ ଫ୍ରିଜ୍‌କୁ ଚାଲି ଯାଇଛି, ଟିଏମସିର କଟାକ୍ଷ…

କୋଲକାତା,୪।୧୨: ତୃଣମୂଳ କଂଗ୍ରେସ (ଟିଏମସି) ଏବଂ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଟିଏମସି ମୁଖପତ୍ର ’ଜାଗୋ ବଙ୍ଗଳା’ କହିଛି ଯେ ଭାରତୀୟ ଜନତା ପାର୍ଟି ସହ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶ୍ରୁତିବଦ୍ଧ। କଂଗ୍ରେସ ବିରୋଧରେ ପ୍ରଶାନ୍ତ କିଶୋରଙ୍କ ସଦ୍ୟତମ ଟୁଇଟକୁ ଦର୍ଶାଇ ଏଥିରେ ପ୍ରକାଶିତ ଏକ ଆର୍ଟିକିଲରେ କୁହାଯାଇଛି ଯେ କେବଳ ନିର୍ବାଚନ ରଣନୀତିଜ୍ଞ ନୁହଁନ୍ତି, କଂଗ୍ରେସ ନେତାମାନେ ମଧ୍ୟ ଦଳର ନେତୃତ୍ୱକୁ ସମାଲୋଚନା କରୁଛନ୍ତି।

ଏବେ ଦେଶରେ ବିରୋଧୀ ଦଳ ସ୍ଥାନରେ ସୃଷ୍ଟି ହୋଇଥିବା ଶୂନ୍ୟତା ମମତା ବାନାର୍ଜୀଙ୍କୁ ଦେଖୁଛି। ଅସନ୍ତୁଷ୍ଟ କଂଗ୍ରେସ ନେତାମାନଙ୍କୁ ନିଜ ଆଡକୁ ଆଣିଥିବା ତୃଣମୂଳ କଂଗ୍ରେସ ଶକ୍ତି ସଂଗ୍ରହ କରୁଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

କଂଗ୍ରେସ ଡିପ୍‌ ଫ୍ରିଜ୍‌କୁ ଚାଲି ଯାଇଛି ଶୀର୍ଷକ ଏହି ଆର୍ଟିକିଲ୍‌ରେ କୁହାଯାଇଛି ଯେ, ଟିଏମସି ଦୀର୍ଘ ଦିନ ଧରି କହିଆସୁଛି ଯେ କଂଗ୍ରେସ ଏକ ମୃତ ଶକ୍ତି। ବିଜେପି ସହିତ ଲଢ଼ିବା ପାଇଁ ଆଉ କଂଗ୍ରେସର ଉତ୍ସାହ ନାହିଁ। କଂଗ୍ରେସ ଦଳ ବିବାଦରେ ଏତେ ଜଡିତ ଯେ ବିରୋଧୀ ଦଳ ବିରୋଧରେ ସଂଗଠିତ କରିବାକୁ ଆଉ ସମୟ କିମ୍ବା ଶକ୍ତି ବି ନାହିଁ। ୟୁନାଇଟେଡ ପ୍ରୋଗ୍ରେସିଭ ଆଲାଏନ୍ସ (ୟୁପିଏ) ଅସ୍ଥିତ୍ୱ ଆଉ ନାହିଁ।

ଦେଶରେ ଭାଜପା ବିରୋଧରେ ଏକ ବିକଳ୍ପ ସାମ୍ମୁଖ୍ୟର ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି। ବିରୋଧୀ ଦଳ ମମତା ବାନାର୍ଜୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବା ସ୍ବାଭାବିକ। ଶୂନ୍ୟସ୍ଥାନ ପୂରଣ କରିବାକୁ ସେମାନେ ମମତା ଆଡକୁ ଚାହିଁ ରହିଛନ୍ତି। ମମତା ବର୍ତ୍ତମାନ ଦେଶର ସବୁଠାରୁ ଲୋକପ୍ରିୟ ବିରୋଧୀ ଚେହେରା ବୋଲି ଏଥିରେ କୁହାଯାଇଛି।

Share