Categories: ଜାତୀୟ

‘କଂଗ୍ରେସ ଏବେ ଭାଇ-ଭଉଣୀ ଦଳ ହୋଇ ରହିଯାଇଛି’

ମୁମ୍ବାଇ,୧୯।୫: ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡା ଗୁରୁବାର କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଗଣତାନ୍ତ୍ରିକ ଶାସନରେ ବଂଶବାଦୀ ରାଜନୈତିକ ଦଳ ବିପଦ ଉପରେ ଆୟୋଜିତ ଏକ ଜାତୀୟ ସେମିନାରକୁ ସମ୍ବୋଧିତ କରି ସେ କହିଥିଲେ, କଂଗ୍ରେସ ଏବେ ଏକ ଭାଇ-ଭଉଣୀ ଦଳରେ ପରିଣତ ହୋଇଛି।
ମୁମ୍ବାଇ ସ୍ଥିତ ଥିଙ୍କ ଟ୍ୟାଙ୍କ ରାମଭାଉ ମଲଗି ପ୍ରବୋଧିନି (ଆରଏମପି)ର ତତ୍ତ୍ୱାବଧାନରେ ଆୟୋଜିତ ଏହି ସେମିନାରରେ ନଡା କହିଛନ୍ତି,ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି), ନ୍ୟାସନାଲ କନଫରେନ୍ସ, ଶିରୋମଣି ଅକାଳୀ ଦଳ, ଭାରତୀୟ ଜାତୀୟ ଲୋକ ଦଳ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ଓ୍ବାଇଏସଆର୍‌ କଂଗ୍ରେସ, ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ), ଶିବସେନା ସମେତ ବିଭିନ୍ନ ଆଞ୍ଚଳିକ ଦଳଗୁଡିକ ଏବେ ପାରିବାରିକ ଦଳରେ ପରିଣତ ହୋଇଛି। ଆଞ୍ଚଳିକ ଦଳର ଲକ୍ଷ୍ୟ ଯେକୌଣସି ଉପାୟରେ କ୍ଷମତାକୁ ଆସିବା। ଏଥିପାଇଁ, ସେମାନେ ଜାତି ଭିତ୍ତିରେ ହେଉ କିମ୍ବା ଧର୍ମ ଆଧାରରେ ଧ୍ରୁବିକରଣ ରାଜନୀତି କରିବାକୁ ଦ୍ୱିଧା କରନ୍ତି ନାହିଁ। ଏହି ସମୟରେ କଂଗ୍ରେସ ନା ଜାତୀୟ, ନା ଭାରତୀୟ, ନା ଗଣତାନ୍ତ୍ରିକ। ଏହା ଏକ ଭାଇ-ଭଉଣୀ ଦଳରେ ପରିଣତ ହୋଇଛି। ଭାଜପା ହେଉଛି ଏକମାତ୍ର ରାଜନୈତିକ ଦଳ, ଯେଉଁଠି ଗଣତାନ୍ତ୍ରିକ ଭିତ୍ତିରେ ନିଷ୍ପତ୍ତି ନିଆଯାଏ ବୋଲି ସେ କହିଛନ୍ତି।

Share