Categories: ଜାତୀୟ

ମହିଳା ସଂରକ୍ଷଣ ବିଲ୍‌ ଜରିଆରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି କଂଗ୍ରେସ: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୨୦।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେଉଛି। ଏହି ଆଲୋଚନା ନୂଆ ସଂସଦ ଗୃହରେ ହେଉଛି। ଏଥିରେ ଯୋଗ ଦେଇ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ, ଏହି ବିଲ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଣିଥିଲେ। ସେତେବେଳେ ଏହି ବିଲ ୭ଟି ଭୋଟ ଯୋଗୁ ରାଜ୍ୟ ସଭାରେ ଅଟକି ଯାଇଥିଲା। ଏହି ବିଲ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଥିଲା। ପରେ ପି ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଏହାକୁ ପାରିତ କଲେ। ଫଳାଫଳ ହେଉଛି ଆମର ସ୍ଥାନୀୟ ସ୍ତରରେ ୧୫ ଲକ୍ଷ ନିର୍ବାଚିତ ମହିଳା ନେତା ଅଛନ୍ତି।
ମହିଳା ସଂରକ୍ଷଣ ବିଲ ଉପରେ ଭାଜପା ନେତା ନିଶିକାନ୍ତ ଦୁବେ କହିଛନ୍ତି ଯେ, ଏହା ହେଉଛି ଭାଜପାର ବିଲ, ପ୍ରଧାନମନ୍ତ୍ରୀଙ୍କ ବିଲ। କଂଗ୍ରେସ କେବଳ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। କଂଗ୍ରେସ ଭୁଲ ବିଲ ଆଣିଥିଲା। ଆମେ ତାକୁ ସୁଧାରୁଛୁ। ମହିଳାମାନଙ୍କର ସେମାନଙ୍କର ଅଧିକାର ରହିବ ଏବଂ ଦୁନିଆରେ କୌଣସି ଶକ୍ତି ଏହାକୁ ରୋକି ପାରିବେ ନାହିଁ। ମହିଳା ବିନା ପୁରୁଷ ବିଦ୍ୟମାନ ନୁହଁନ୍ତି। ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ସମ୍ମାନ ଦେଇଛନ୍ତି।

Share