ନୂଆଦିଲ୍ଲୀ,୫ ।୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି କୃଷକ । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଶୁକ୍ରବାର ରାଜ୍ୟ ସଭାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହାକୁ ନେଇ କଂଗ୍ରେସ ଉପରେ ଖୁବ୍ ବର୍ଷଛନ୍ତି । ସେ କହିଛନ୍ତି ଅଯଥାରେ କୃଷକଙ୍କୁ ବିରୋଧୀ କଂଗ୍ରେସ ଉସକାଉଛି । ଏହାସହ ଚାଷ ପାଣିରେ କରାଯାଏ ହେଲେ କଂଗ୍ରେସ କେବଳ ରକ୍ତରେ ଚାଷ କରିପାରେ ବୋଲି ତୋମର ମତ ଦେଇଛନ୍ତି । ଏହାପରେ କଂଗ୍ରେସର ବରିଷ୍ଠ ଦିଗବିଜୟ ସିଂ ନେତା ତୋମରଙ୍କୁ ପ୍ରଶ୍ନ କରିଛନ୍ତି ଗୋଧ୍ରା ଘଟଣା କ’ଣ ଥିଲା । ଦିଗବିଜୟ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସବୁବେଳେ ଦଙ୍ଗା କରିବାକୁ ଚାହିଁଥାଏ । ସେ ପ୍ରଶ୍ନ କରିଛନ୍ତି ଗୋଧ୍ରାରେ ଯେଉଁ ଘଟଣା ଘଟିଥିଲା ତାହା କ’ଣ ପାଣିରେ ଚାଷ ଥିଲା ନା ରକ୍ତରେ । ଭାଜପା କେବଳ ଘୃଣା ଓ ହିଂସାର ରାଜନୀତି କରି ଆସିଛି, କଂଗ୍ରେସ ସତ୍ୟ ଓ ଅହିଂସାର ରାସ୍ତାରେ ଚାଲୁଛି । ଦିଗବିଜୟ ଆହୁରି ମଧ୍ୟ କହିଛନ୍ତି ଭାଜପା ଯଦି ସାଂପ୍ରଦାୟିକ ଦଙ୍ଗା କରିବ ତେବେ ତା’ର ଲାଭ ହେବ । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅସଦୁଦ୍ଦିନ ଓୱାଇସିଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ବୋଲି ଦିଗ୍ବିଜୟ କହିଛନ୍ତି ।