ବିଜେଡି ବୈଠକରେ କଂଗ୍ରେସ ନେତା ଆକ୍ରୋଶର ଶିକାର

ପାଟଣା,୩ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଜିଏନ୍‌ ହାଇସ୍କୁଲ ସମ୍ମୁଖରେ ରବିବାର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କର୍ମୀ ସମ୍ମିଳନୀ ରାସ୍ତାକଡ଼ରେ ଚାଲିଥିବା ବେଳେ ଅସ୍ବାଭାବିକ ପରିସ୍ଥିତି ଉପୁଜିଥିଲା। ବୈଠକ ଚାଲିଥିବା ବେଳେ ହଠାତ୍‌ ପାଟଣା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଇଂ.ବିଦ୍ୟାଧର ଦାଶ ପହଞ୍ଚି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ମିଟିଂ କରୁଛ କାହିଁକି କହିବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ବିଜେଡିର ଶତାଧିକ ପୁରୁଷ ଓ ମହିଳା କର୍ମୀ ବିଦ୍ୟାଧର ଦାଶଙ୍କୁ ଘେରି ଯାଇଥିଲେ। ଫଳରେ କିଛି ସମୟ ପାଇଁ ହଟ୍ଟଗୋଳ ଓ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ନେତା ଶ୍ରୀ ଦାଶଙ୍କୁ ବିଜେଡି କର୍ମୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା।
ଏହି ବୈଠକରେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାୟକ, ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ସହ ବହୁ ଛାମୁଆ ନେତା ଉପସ୍ଥିତ ଥିଲେ।