Categories: ଜାତୀୟ

ହିଂସାଗ୍ରସ୍ତ ରାଜ୍ୟ ମଣିପୁରରେ ରାହୁଲ ଖୋଲିବେ ‘ପ୍ରେମର ଦୋକାନ’

ଇମ୍ଫାଲ,୨୯।୬: ଗତ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ମଣିପୁରରେ ହିଂସା ଥମିବାର ନାମ ନେଉନାହିଁ। ସେଠାକାର ଦୁଇ ସ୍ଥାନୀୟ ଜାତି ମୌତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଭଳି ସଂଘର୍ଷ ଜାରି ରହିଛି। ଏପଟେ କେନ୍ଦ୍ର ସରକାରଙ୍କ ସହ ସର୍ବଦଳୀୟ ବୈଠକ ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭଲପାଇବା ବାଣ୍ଟିବାକୁ ଦୁଇ ଦିନିଆ ମଣିପୁର ଗସ୍ତରେ ବାହାରିଯାଇଛନ୍ତି।

ଏହି ଗସ୍ତ ସମୟରେ ରାହୁଲ ରାଜ୍ୟରେ ସ୍ଥାପିତ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ ଏବଂ ରାଜଧାନୀ ଇମ୍ଫାଲ ଏବଂ ଚୁରାଚାନ୍ଦପୁରରେ ନାଗରିକ ସମାଜର ପ୍ରତିନିଧୀଙ୍କ ସହ ମଧ୍ୟ ଆଲୋଚନା କରିବେ। ସେ ମଣିପୁରରେ ଦୁଇ ଦିନ ରହିବେ ଏବଂ ସେଠାରେ ଥିବା ପରିସ୍ଥିତି ଏବଂ ଉତ୍ତେଜନା ସ୍ଥିତିକୁ ମଧ୍ୟ ବୁଝିବାକୁ ଚେଷ୍ଟା କରିବେ। ମିଳିଥିବା ସୂଚନା ଅନୁଯାୟୀ ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ମଧ୍ୟ ତାଙ୍କ ସହ ଅଛନ୍ତି।
ମେ ୩ ରେ ମଣିପୁରରେ ହିଂସା ଆରମ୍ଭ ହେବା ପରେ ଏହା ଉତ୍ତର-ପୂର୍ବ ରାଜ୍ୟକୁ କଂଗ୍ରେସ ନେତାଙ୍କ ପ୍ରଥମ ଗସ୍ତ। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଇମ୍ଫାଲରେ ପହଞ୍ଚିବା ପରେ ରାହୁଲ ଚୁରଚାନ୍ଦପୁର ଜିଲ୍ଲା ଯିବେ ଏବଂ ସେଠାରେ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ। ଏହା ପରେ ସେ ବିଷ୍ଣୁପୁର ଜିଲ୍ଲାର ମୋଇରଙ୍ଗକୁ ଯାଇ ବିସ୍ଥାପିତ ଲୋକଙ୍କ ସହ ଯୋଗାଯୋଗ କରିବେ। ସେ କହିଛନ୍ତି, ରାହୁଲ ଶୁକ୍ରବାର ଇମ୍ଫାଲରେ ରିଲିଫ କ୍ୟାମ୍ପ ପରିଦର୍ଶନ କରିବେ ଏବଂ ପରେ କିଛି ନାଗରିକ ସଂଗଠନ ସହିତ ମଧ୍ୟ ଯୋଗାଯୋଗ କରିବେ।

Share