ନୂଆଦିଲ୍ଲୀ,୨୧ ।୪: କିଛି ରାଜ୍ୟରେ ହୋଇଥିବା ହିଂସାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରୁ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ କାମ ହେଲା ରାଷ୍ଟ୍ର ନିର୍ମାଣ କରିବା, ଏହାକୁ ଭାଙ୍ଗିବା ନୁହେଁ । ଏମିତି ଘଟଣାକୁ ନେଇ ମୋଦି ସରକାର ନିଜ ନାଗରିକଙ୍କ ବିଶ୍ୱାସ ହରାଉଛି । ଥରୁର ଆହୁରି ମଧ୍ୟ କହିଛନ୍ତି ସାରା ବିଶ୍ୱରେ ଦେଶର ଛବି କେନ୍ଦ୍ର ସରକାରଙ୍କ ଯୋଗୁ ଖରାପ ହେବାରେ ଲାଗିଛି । ମୋର ବିଦେଶରେ ଥିବା ବନ୍ଧୁମାନେ ବହୁ ନକରାତ୍ମକ କଥା କହୁଛନ୍ତି । ଆମେ ସଂଖ୍ୟାଲଘୁ ଉତ୍ପିଡନ ଓ ଇସଲାମୋଫୋବିୟା ଯୋଗୁ ପରିଚୟ ପାଉଛୁ । ଏମିତି ସମୟ ଥିଲା ଯେତେବେଳେ ଆମେ ଆମର ଲୋକତନ୍ତ୍ର ଓ ବିବିଧତା ପାଇଁ ପରିଚୟ ପାଉଥିଲୁ । ହେଲେ ଏସବୁ ପାଇଁ ଆଜି ଭାରତୀୟ ଜନତା ପାର୍ଟି(ଭାଜପା) ଦାୟୀ ବୋଲି ଥରୁର କହିଛନ୍ତି ।
ଜାହାଙ୍ଗୀରପୁରୀ ବୁଲଡୋଜର ଚଳାଇବା ଘଟଣାକୁ ନେଇ ଥରୁର କହିଛନ୍ତି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ଯଥାସ୍ଥିତି ରହିବା ଦରକାର ଓ ଏହାକୁ ଆଗକୁ ବଢାଇବାକୁ ବାରଣ କରିଥିଲେ । ହେଲେ ଏହି ନିର୍ଦ୍ଦେଶ ଜାରି ହେବାର ପ୍ରାୟ ଦୁଇ ଘଣ୍ଟା ପରେ ବୁଲଡୋଜର ଚଳାଇବା ଆରମ୍ଭ ହୋଇଯାଇଥିଲା । ଏହା ଅବୈଧ, ମନମାନି ଓ ଅସମ୍ବିଧାନକ, କାରଣ ପିଡ଼ିତଙ୍କୁ କୌଣସି ନୋଟିସ ଦିଆଯାଇ ନ ଥିଲା ।