Categories: ଜାତୀୟ

କୋଲକାତା ମାମଲାରେ ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା, କହିଲେ…

ନୂଆଦିଲ୍ଲୀ,୨୦।୮: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟ ଏନେଇ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ କହିଛନ୍ତି, କୋଲକାତାରେ ଘଟିଥିବା ଏହି ଘଟଣା ସାରା ଦେଶରେ ଡାକ୍ତରଙ୍କ ପାଇଁ ସୁରକ୍ଷା ସମସ୍ୟା ସୃଷ୍ଟି କରିଛି। ଆମେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ପୀଡିତାଙ୍କ ପରିଚୟ ପ୍ରକାଶ କରାଯାଇଥିବାରୁ ସିଜେଆଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ତେବେ ଘଟଣାକୁ ନେଇ କୋର୍ଟ ସିବିଆଇକୁ ଷ୍ଟାଟସ ରିପୋର୍ଟ ମାଗିବା ସହ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି। ଏହାକୁ ନେଇ କଂଗ୍ରେସ ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କରିଛନ୍ତି।

କଂଗ୍ରେସ ନେତା ଉଦିତ ରାଜ, ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ ରାଜନୀତିରେ ରହିବା ଉଚିତ। କଂଗ୍ରେସ ନେତା ଏକ ଟ୍ବିଟ୍‌କୁ ରିଟ୍ବିଟ୍‌ କରି କହିଛନ୍ତି, ସିଜେଆଇ ନ୍ୟାଶନାଲ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି। ଏଥିସହ ଏହି ମାମଲାରେ ପୋଲିସ ଓ ହସ୍ପିଟାଲ ଉପରେ ବର୍ଷିଛନ୍ତି।

ସିଜେଆଇ ବିରୋଧୀଙ୍କ ଉପରେ ହୋଇଥିବା ବଡ଼ ବଡ଼ ମାମଲାକୁ ଅନ୍ୟ ବିଚାରପତିଙ୍କ ପାଖକୁ ପଠାଇ ଦେଉଛନ୍ତି। ଆଉ ଛୋଟ ଛୋଟ ମକଦ୍ଦମାକୁ ଶେଷ ମୂହୁର୍ତ୍ତରେ କେମିତି ଗୋଟିଏ ରଫାଦଫା କରି ଦିଅନ୍ତି। କୋଲକାତା ଡାକ୍ତର ମାମଲାରେ ଭାରତର ପ୍ରଧାନ ବିଚାରପତି ନିଜେ ଏହି ମାମଲାରେ ହସ୍ତକ୍ଷେପ କଲେ ଆଉ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ। କିନ୍ତୁ ଏସବୁ ପରିବର୍ତ୍ତେ ସେ କାହିଁକି ଫାଷ୍ଟ ଟ୍ରାକ କୋର୍ଟ ନିର୍ଦ୍ଦେଶ ଦେଲେନାହିଁ। ଯାହାଦ୍ୱାରା ଅଭିଯୁକ୍ତଙ୍କୁ କିଛି ଦିନ ମଧ୍ୟରେ ଦଣ୍ଡ ଦିଆଯାଇଥା’ନ୍ତା ବୋଲି କଂଗ୍ରେସ ନେତା କହିଛନ୍ତି।

 

Share