ପୌରକାର୍ଯ୍ୟାଳୟ ଘେରିଲେ କଂଗ୍ରେସ ନେତା

ବାସୁଦେବପୁର,୨୮।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ନଗର ଓ ବ୍ଲକ କଂଗ୍ରେସର ମିଳିତ ସହଯୋଗରେ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ସମର୍ଥକ ନିର୍ବାଚନମଣ୍ଡଳୀ ନେତା ତଥା ପିସିସି ରାଜ୍ୟ ସମ୍ପାଦକ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ବାସୁଦେବପୁର ବଜାର ପରିକ୍ରମା କରିଥିଲେ। ଅପରାହ୍ନରେ ପୌର କାର୍ଯ୍ୟାଳୟ ସମ୍ମୁଖରେ କାଉନସିଲର ତଥା ନଗର କଂଗ୍ରେସ ସଭାପତି ଭକ୍ତରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ହୋଇଥିଲା। ପୌରପାଳିକା କାର୍ଯ୍ୟାଳୟରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଅନିୟମିତତା ଓ ପାତରଅନ୍ତର ନୀତିକୁ ଅଭିଯୋଗ କରି ଦଳ ପକ୍ଷରୁ ବିରୋଧ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିସ୍ତି ଅର୍ଥ ଠିକଣା ସମୟରେ ନ ମିଳିବା, ଯୋଗ୍ୟ ହିତାଧିକାରୀଙ୍କୁ ରାଶନକାର୍ଡରେ ଅନ୍ତର୍ଭୁକ୍ତ ନ କରିବା, ରାଶନକାର୍ଡ କାଟି ଦିଆଯିବା ଆଦି ନେଇ ଅଭିଯୋଗ ହୋଇଥିଲା। ପିସିସି ରାଜ୍ୟ ସମ୍ପାଦକ ଦାସଙ୍କ ସହ ବ୍ଲକ ସଭାପତି ରମେଶ ଚନ୍ଦ୍ର ବଳ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ପଣ୍ଡା, ଯୁବ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହୁରା, ନିର୍ବାଚନମଣ୍ଡଳୀ ସଭାପତି ରାକେଶ ଚନ୍ଦ୍ର ମହାନ୍ତି, ନଗର ସଭାପତି ସୁଶାନ୍ତ ମହାକୁଡ଼, ବ୍ଲକ ସଭାପତି ସିଦ୍ଧାନ୍ତ ଦାସ, ସରପଞ୍ଚ ସୁବାସ ଚନ୍ଦ୍ର ସନ୍ଦିବିଗ୍ରହ, ପୂର୍ବତନ କାଉନସିଲର ତୋହିଦ ଖାଁ, ଗଙ୍ଗାଧର ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ପୌର ନିର୍ବାହୀ ଅଧିକାରୀ ମାନସ ଦଣ୍ଡପାଟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Share