Categories: ଜାତୀୟ

ତୈଳ ଦର କମିବାର କାରଣ

ନୂଆଦିଲ୍ଲୀ,୪।୧୧: ଏକ ସପ୍ତାହ ଧରି କ୍ରମାଗତ ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହାପରେ ୧୦ ଭାଜପା ଶାସିତ ରାଜ୍ୟରେ ମଧ୍ୟ ଭ୍ୟାଟରେ ହ୍ରାସ କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିକଟରେ ଶେଷ ହୋଇଥିବା ଉପ ନିର୍ବାଚନରେ ଭାଜପାର ପରାଜୟ ସହ ଯୋଡ଼ି ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ।

”୩୦ ବିଧାନସଭା ଓ ୩ ଲୋକସଭା ଉପ ନିର୍ବାଚନରେ ଭାଜପାକୁ ପରାଜୟ ମିଳିଛି। ଏହାର ଫଳ ସ୍ବରୂପ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଏହା ଦର୍ଶାଉଛି ଯେ, ଅତ୍ୟଧିକ ଟ୍ୟାକ୍ସ କାରଣରୁ ହିଁ ତୈଳ ଦର ଆକାଶ ଛୁଆଁ ହୋଇଛି। ଆଉ ଲୋଭି କେନ୍ଦ୍ର ସରକାର ତୈଳ ଉପରେ ଏତେ ଅଧିକ ଟ୍ୟାକ୍ସ ଲଗାଉଥିଲେ। ଏବେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟିରେ ହ୍ରାସ କରି ଆମ ଅଭିଯୋଗକୁ ସତ ପ୍ରମାଣିତ କରି ଦେଇଛନ୍ତି“ ବୋଲି ଟୁଇଟ୍‌ କରି ଲେଖିଛନ୍ତି ଚିଦାମ୍ବରମ।

ମଙ୍ଗଳବାର ଘୋଷିତ ହୋଇଥିବା ଉପ ନିର୍ବାଚନର ଫଳାଫଳରେ ହିମାଚଳ ପ୍ରଦେଶରେ କଂଗ୍ରେସ ଠାରୁ ୧ ଲୋକସଭା ଓ ୩ ବିଧାନସଭା ଆସନରେ ଭାଜପା ପରାସ୍ତ ହୋଇଥିଲା। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳକ କଂଗ୍ରେସ (ଟିଏମ୍‌ସି) ୪ ବିଧାନସଭା ଆସନରେ ବିଜୟ ହୋଇଛି। ଏହାବାଦ୍‌ କର୍ନାଟକ ଓ ହରିୟାଣାରେ ମଧ୍ୟ ଭାଜପାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

 

Share