Categories: ଜାତୀୟ

ଜୟସାଲମେର ଗଲେ କଂଗ୍ରେସ ବିଧାୟକ

ଜୟସାଲମେର/ଜୟପୁର, ୧।୮(ପି.ଟି.): ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱ ଏକ ହୋଟେଲରେ ଅବସ୍ଥାନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ କଂଗ୍ରେସ ବିଧାୟକମାନଙ୍କୁ ଶୁକ୍ରବାର ତିନୋଟି ଚାର୍ଟାର୍ଡ ବିମାନରେ ଜୟସାଲମେର ପଠାଇଦିଆଯାଇଛି। ଅଗଷ୍ଟ ୧୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ହେବାକୁ ଥିବାବେଳେ ଏହା ପୂର୍ବରୁ ଘୋଡ଼ାବେପାର ଆଶଙ୍କା କରାଯାଉଛି। କଂଗ୍ରେସ ବିଧାୟକମାନଙ୍କୁ ଏକଜୁଟ କରି ରଖିବା ପାଇଁ ସେମାନଙ୍କୁ ଜୟସାଲମେର ପଠାଯାଇଥିବା ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ କହିଛନ୍ତି। ଜଣେ ହେଲେ ବିଧାୟକ ଯେପରି ପ୍ରଲୋଭିତ ହୋଇ ଅନ୍ୟ ଶିବିରକୁ ନ ଯାଆନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଏଭଳି ରଣନୀତି ଆପଣାଇଛନ୍ତି। ବିଧାୟକମାନେ ଜୟସାଲମେରରେ ପହଞ୍ଚତ୍ବା ପରେ ସେଠାରୁ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବସ୍‌ ଓ ଅନ୍ୟ ଗାଡ଼ିରେ ହୋଟେଲ ସୂର୍ଯ୍ୟଗଡ଼କୁ ନିଆଯାଇଥିଲା। ଦୀର୍ଘଦିନ ଗୋଟିଏ ହୋଟେଲରେ ରହି ବୋରିଂ ହୋଇଯାଇଥିଲେ ବିଧାୟକ। ସେଥିପାଇଁ ସେମାନଙ୍କୁ ଜୟସାଲମେର ନିଆଯାଉଛି ବୋଲି ବିଧାୟକ ପ୍ରଶାନ୍ତ ବୈରଓ୍ବା ଜୟପୁର ବିମାନ ବନ୍ଦରରେ କହିଥିଲେ। ପ୍ରଥମେ ୫୪ ଜଣଙ୍କୁ ନିଆଯାଇଥିବାବେଳେ ଅନ୍ୟ ବିଧାୟକମାନଙ୍କୁ ଖୁବ୍‌ଶୀଘ୍ର ସ୍ଥାନାନ୍ତର କରାଯିବ। ଅଗଷ୍ଟ ୧୪ରେ ଅଧିବେଶନ ଆରମ୍ଭ ହେଲେ ଆସ୍ଥା ଭୋଟ ଲୋଡ଼ିବେ ବୋଲି ଗେହଲଟ ସୂଚନା ଦେବାର ଦିନକ ପରେ ବିଧାୟକମାନଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ୧୮ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ଜୁଲାଇ ୧୩ରୁ କଂଗ୍ରେସ ବିଧାୟକମାନେ ଜୟପୁର ହୋଟେଲରେ ରହିଥିଲେ।

ଚିଫ୍‌ ହୁଇପ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ରାଜସ୍ଥାନର ବହିଷ୍କୃତ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ୧୮ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଜୁଲାଇ ୨୪ରେ ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କଂଗ୍ରେସ ମୁଖ୍ୟ ହୁଇପ୍‌ ମହେଶ ଜୋଷୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଇନଜୀବୀ ବରୁଣ ଚୋପ୍ରାଙ୍କ ଜରିଆରେ ଦାଖଲ ହୋଇଥିବା ପିଟିଶନରେ ହାଇକୋର୍ଟଙ୍କ ରାୟ ଅସାମ୍ବିଧାନିକ ଏବଂ ବେଆଇନ ବୋଲି କୁହାଯାଇଛି। ବାଚସ୍ପତି ସି.ପି. ଜୋଷୀ ମଧ୍ୟ ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ୨୯ରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ।

 

Share