ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ଖୋର୍ଦ୍ଧା ଅଫିସ,୧୩।୭: ଦେଶରେ କରୋନାର ଦ୍ବିତୀୟ ଲହର ଜାରି ରହିଛି। ଗତ ଦୁଇ ବର୍ଷ ହେଲା କରୋନା ପ୍ରଭାବରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି। ସାଧାରଣ ଲୋକ, ଗରିବ, ମଜୁରିଆ କାମଧନ୍ଦା ନ ପାଇ ହାତବାନ୍ଧି ବସିଛନ୍ତି। ପେଟ୍ରୋଲ ଡିଜେଲ ଦର ବଢ଼ିବାର ଲାଗିଛି। ଏଥିସହିତ ଅତ୍ୟାବସ୍ୟକ ସାମଗ୍ରୀ, ଖାଇବା ତେଲ ଦର ବୃଦ୍ଧି ପାଇଛି। ଏ ନେଇ ମଙ୍ଗଳବାର ଅଲ ଇଣ୍ଡିଆ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଖୋର୍ଦ୍ଧା ନଗର ଏବଂ ବ୍ଳକ କଂଗ୍ରେସ କମିଟି ମିଳିତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ସମବାୟ ଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ। ଜିଲା କଂଗ୍ରେସ କମିଟି ସଭାପତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମନ୍ତବ୍ୟ ଦେବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ନଗର ସଭାପତି ରଞ୍ଜିତ ମହାପାତ୍ର, ବ୍ଳକ ସଭାପତି ବିଶ୍ବଭୁଷଣ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share