ଭାଜପା ପଇସା ଥୋଇ ରେଡ୍‌ କରାଇଛି: ସୁର ରାଉତରାୟ

ଭୁବନେଶ୍ୱର,୯।୧୨: ଆୟକର ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ମଦ ବ୍ୟବସାୟୀଙ୍କ ଭାଟି, କାର୍ଯ୍ୟାଳୟ ଏବଂ ବାସଭବନରୁ ଶତାଧିକ କୋଟି ଟଙ୍କା ଜବତ ହେବା ଘଟଣା ରାଜ୍ୟ ତଥା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଅନଗ୍ରସର ଜିଲାରୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବାରୁ ଏହା ବାସ୍ତବରେ ମଦ ବିକ୍ରି ଟଙ୍କା ନା ଏହା ପଛରେ ଆଉ କି ରହସ୍ୟ ରହିଛି ତାହା ପ୍ରଶ୍ନଘେରକୁ ଆସିଛି। ଏବେ ଏହି ପ୍ରସଙ୍ଗରେ ଶନିବାର ପ୍ରତିକ୍ରିୟା ରଖି ଭାଜପା ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ।

ସୁର କହିଛନ୍ତି, ‘ଜଣେ ମଦ ବ୍ୟବସାୟୀଙ୍କ ପାଖରେ ଏତେ ନୋଟ ବିଡ଼ା କେଉଁଆଡୁ ଆସିବ। ସେ ଜଣେ ଆଭିଜାତ୍ୟ ପରିବାରର। ମୋଦି ସରକାର ତାଙ୍କୁ ବଦନାମ କରିବା ଲାଗି ପଇସା ଥୋଇ ପରେ ରେଡ କରାଇଛନ୍ତି। ଯେଉଁ ଟଙ୍କା ରେଡ୍‌ରୁ ଧରାପଡ଼ିଛି ସବୁ ଟଙ୍କା ଜନତାଙ୍କ ନିକଟକୁ ଯିବା ଉଚିତ। ’

ସେହିଭଳି ଭାଜପା ପକ୍ଷରୁ କଂଗ୍ରେସ ଏବଂ ଗାନ୍ଧୀ ପରିବାର ପ୍ରତି ଅନ୍ୟାୟ କରାଯାଉଥିବା ଦର୍ଶାଇ ସୁର କହିଛନ୍ତି, ମୋଦି ସରକାର ଏକଛତ୍ରବାଦ ଶାସନ କରିବାକୁ ଚାହୁଁଛନ୍ତି। ମୋଦି ନିଜକୁ ଭଗବାନ ବୋଲି ମନେ କଲେଣି। ଏବେ ସେ ନିଜକୁ ବିଶ୍ୱର ପ୍ରିୟ ପ୍ରଧାନମନ୍ତ୍ରୀ ବୋଲି କହି ବୁଲୁଛନ୍ତି। ସେ ନିଜକୁ ଭଲ ଦେଖାଇବାକୁ ଯାଇ ପୋଷାକରେ ୨୦ କୋଟି ଖର୍ଚ୍ଚ କରି ସାରିଲେଣି। ହେଲେ ଦିନେ ସେ ରାହୁଲ ଗାନ୍ଧୀଙ୍କ ୪୦ ହଜାର ଟଙ୍କାର ଟି ଶର୍ଟକୁ ନେଇ କଟାକ୍ଷ କରିଥିଲେ। ଖେଳରତ୍ନ ରାଜୀବ ଗାନ୍ଧୀଙ୍କ ନାମରେ ଥିଲା। ତାହାକୁ ସେ ବନ୍ଦ କରିଦେଲେ। ଇନ୍ଦିରା ଗାନ୍ଧୀଙ୍କ ନାମରେ ଥିବା ଷ୍ଟାମ୍ପକୁ ବନ୍ଦ କରିଦେଲେ। ଆସନ୍ତା ୨୦୨୪ ନିର୍ବାଚନରେ ଜନତା ଏହାର ହିସାବ ଦେବେ। ଯେଉଁ ନେହେରୁ ପରିବାରକୁ ସେ ହଇରାଣ କରୁଛନ୍ତି , ରାହୁଲ ଗାନ୍ଧୀଙ୍କୁ ଜନତା ପ୍ରଧାନମନ୍ତ୍ରୀ କରିବେ ବୋଲି ସେ କହିଛନ୍ତି।

Share