Categories: ଜାତୀୟ

କଂଗ୍ରେସର ଅର୍ଥ ଦୁର୍ନୀତି-କମିଶନ-ସାମ୍ପ୍ରଦାୟିକ ଦଙ୍ଗା: ଶାହା…

ଭୋପାଳ,୪।୧୧ : ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଏକ ସାଧାରଣ ସଭାକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରିଛନ୍ତି। ତାଙ୍କ ଭାଷଣରେ ସେ କଂଗ୍ରେସ ପାର୍ଟିକୁ କଡ଼ା ସମାଲୋଚନା କରିବା ସହ ଦୁର୍ନୀତି, କମିଶନ, ସାମ୍ପ୍ରଦାୟିକ ଦଙ୍ଗା ଏବଂ ଅପରାଧିକ ରାଜନୀତିକୁ ନେଇ ଗଠିତ “୪-ସି ଫର୍ମୁଲା” ଅନୁସରଣ କରିଥିବା ଦଳ ବୋଲି କହିଛନ୍ତି। ମଧ୍ୟପ୍ରଦେଶକୁ ଏକ ଅସୁସ୍ଥ ରାଜ୍ୟରୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିଥିବା ଡବଲ ଇଞ୍ଜିନ ସରକାରଙ୍କର ସଫଳତାକୁ ଦର୍ଶାଇ ସେ ଭୋଟରଙ୍କୁ ଭାଜପାକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ଅମିତ ଶାହା କମଲ ନାଥଙ୍କୁ ଟାର୍ଗେଟ କରି କହିଛନ୍ତି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଲାଡଲି ବେହନା ଏବଂ କିଷାନ ସମ୍ମାନ ନିଧି ଭଳି ଯୋଜନା ବନ୍ଦ କରି ଜନ କଲ୍ୟାଣ ବଦଳରେ ସ୍ବାର୍ଥକୁ ପ୍ରାଧାନ୍ୟ ଦେବେ। ବିକାଶ ତଥା ଉତ୍ତମ ଶାସନ ପ୍ରତି ଭାଜପାର ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ରମାଗତ ଭାବରେ ଦଳିତ ତଥା ଆଦିବାସୀମାନଙ୍କ ପାଇଁ ବଜେଟ ବୃଦ୍ଧି କରିଛନ୍ତି। ମାତ୍ର କଂଗ୍ରେସ ସରକାର ଏହାକୁ ଅଣଦେଖା କରିଥିଲେ।

ରାଜ୍ୟରେ କମଲ ନାଥ ପ୍ରତ୍ୟାବର୍ତ୍ତନ କଲେ ସ୍ଥିତି ପୁଣି ସଙ୍କଟ ଜନକ ହେବ। ତେଣୁ ଲୋକେ ଭାବିଚିନ୍ତି ଭୋଟ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ମଧ୍ୟପ୍ରଦେଶରେ ହାସଲ ହୋଇଥିବା ବିକାଶର ଗତି ବଜାୟ ରହିବ।

Share