ଦିନେ କଳାଧନ ପାଇଁ ଭାଷଣ ଦେଉଥିଲେ, ଏବେ ଆୟକର ପଞ୍ଝାରେ ପଡିଲେ ଧୀରଜ ସାହୁ

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସର ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ସହିତ ଘର ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢ଼ାଉ ପରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାରି ମଧ୍ୟରେ ମୋଦି ସରକାରଙ୍କ ବିମୁଦ୍ରୀକରଣକୁ ଧୀରଜ ସମାଲୋଚନା କରୁଥିବାର ଏକ ପୁରୁଣା ଟୁଇଟ ସାମ୍ନାକୁ ଆସିଛି।

ଯେଉଁଥିରେ ସେ କହିଛନ୍ତି, ”ଦେଶରେ ବିମୁଦ୍ରୀକରଣ ପରେ ମଧ୍ୟ ଏତେ କଳାଧନ ଏବଂ ଦୁର୍ନୀତି ଦେଖି ମନ ବ୍ୟଥିତ ହେଉଛି। ମୁଁ ଜାଣି ପାରୁନାହିଁ ଲୋକମାନେ କେଉଁଠୁ ଏତେ ମାତ୍ରାରେ କଳାଧନ ଆଣି ଜମା କରୁଛନ୍ତି ? ଯଦି ଦେଶରୁ କେହି ଦୁର୍ନୀତି ଶେଷ କରିପାରିବ, ସେ ହେଉଛି କଂଗ୍ରେସ।” ଏହି ପୁରୁଣା ଟୁଇଟକୁ ଶେୟାର କରି ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଲେଖିଛନ୍ତି ଧୀରଜଙ୍କର ଭଲ ହାସ୍ୟଭାବ ରହିଛି।

ସେପଟେ ଭାଜପା ଏହି ପ୍ରସଙ୍ଗରେ କଂଗ୍ରେସକୁ ସ୍ପଷ୍ଟୀକରଣ ମାଗିଛି। ଜବତ ଟଙ୍କାର ପରିମାଣ ୨୦୦ କୋଟି ପାର କରିଛି … କଂଗ୍ରେସ ପିଢ଼ି ପରେ ପିଢ଼ି ଦୁର୍ନୀତି ବିସ୍ତାର କରିବାକୁ ଚେଷ୍ଟା କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତ୍ରୀ ମିନାକ୍ଷୀ ଲେଖୀ କହିଛନ୍ତି। “୨୦୦ କୋଟି ଟଙ୍କା କେବଳ ଜଣେ ରାଜନେତାଙ୍କ ଘରୁ ମିଳୁଥିବା ବେଳେ; ସମଗ୍ର କଂଗ୍ରେସରେ ଥିବା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ପାଇଁ ଏହି ଗଣନା ବାକି ଅଛି। ଯଦି ସମସ୍ତଙ୍କୁ ଏକାଠି କରାଗଲା, ତେବେ କେତେ ନୋଟ୍ ବାହାରକୁ ଆସିବ ବୋଲି କଳ୍ପନା କରନ୍ତୁ।”

ତେବେ ଏହି ମାମଲାରେ କଂଗ୍ରେସ ନିଜକୁ ଦୂରେଇ ନେଇଛି। କଂଗ୍ରେସ କହିଛି ଯେ, ଧୀରଜଙ୍କ ବ୍ୟବସାୟ ସହିତ ଦଳର କୌଣସି ସମ୍ପର୍କ ନାହିଁ।

Share