ନୂଆଦିଲ୍ଲୀ,୩୦।୭: ପାର୍ଲାମେଣ୍ଟରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଲଗାତର ବିରୋଧୀ ଦଳର ନେତାଙ୍କ ହଟ୍ଟଗୋଳ ଯୋଗୁ ଗୃହ ଠିକ୍ ଭାବେ ଚାଲିପାରୁନି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ଦିନ ହେଲା ପାର୍ଲାମେଣ୍ଟ ଆସୁ ନ ଥିବା ଜଣାପଡ଼ିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାହୁଲ କରୋନା ଟିକା ନେଇଥିବାରୁ ପାର୍ଲାମେଣ୍ଟ ଆସୁନାହାନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଲାଗିରହିଛି। ସୂଚନାଯୋଗ୍ୟ, କରୋନା ଟିକା ନେଇ ଅନେକ ଥର ଭାଜପା ଓ କଂଗ୍ରେସ ମୁହାଁମୁହିଁ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ଗତ କିଛି ଦିନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ଟିକା ନେଇଛନ୍ତି କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ଭାଜପା ପକ୍ଷରୁ ତାଙ୍କୁ ଅନେକ ଥର ପ୍ରଶ୍ନ ପଚାରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ହେଲେ ଏବେ ଖବର ଆସୁଛି ଯେ, ରାହୁଲ ଗୁରୁବାର କରୋନା ଟିକା ନେଇଛନ୍ତି। ସେଥିପାଇଁ ସେ ଗୁରୁବାର ଓ ଶୁକ୍ରବାର ପାର୍ଲାମେଣ୍ଟରେ ଉପସ୍ଥିତ ରହି ନ ଥିଲେ। ଏହାପୂର୍ବରୁ ଜୁନ ୧୭ରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନା ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି।