Categories: ଜାତୀୟ

ସଂସଦର ଶିଢ଼ିରୁ ଖସିପଡ଼ିଲେ ଥରୁର: ବାମ ଗୋଡ଼ରେ ଲାଗିଛି ଆଘାତ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଦୁର୍ଘଟଣାର ଶିକାର ହୋଇଛନ୍ତି। ସଂସଦର ଶିଢ଼ିରୁ ଖସିପଡ଼ି ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଥରୁର ଶୁକ୍ରବାର  ଗୃହ କାର୍ଯ୍ୟରେ ଯୋଗଦେଇପାରିନାହାନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ବିଶ୍ରାମ କରୁଛନ୍ତି। ଶୁକ୍ରବାର ଟୁଇଟରରେ ଏକ ଫଟୋ ଶେୟାର କରି ଶଶି ଥରୁର ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋରେ ଥରୁର ଶୋଇଥିବା ବେଳେ ତାଙ୍କ ଗୋଡ଼ରେ ବ୍ୟାଣ୍ଡେଜ୍‌ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲୁଛି। ଗୁରୁବାର ସଂସଦରେ ସାମିଲ ହେବା ପାଇଁ ଥରୁର ଯାଉଥିବା ବେଳେ ଶିଢ଼ିର ଏକ ଷ୍ଟେପ୍‌ ଛାଡ଼ି ତଳକୁ ଓହ୍ଲାଇପଡ଼ିଥିଲେ। ଫଳରେ ତାଙ୍କ ବାମ ଗୋଡ଼ରେ ଜୋରରେ ଆଘାତ ଲାଗିଥିଲା। କିଛି ଘଣ୍ଟା ପର୍ଯ୍ୟନ୍ତ ସେ ଏହାକୁ ଅଣାଦେଖା କରିଥିଲେ। ହେଲେ ଯନ୍ତ୍ରଣା ବଢ଼ିଯିବାରୁ ଶେଷରେ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ଚାଲିପାରୁ ନ  ବେଳେ ଶୁକ୍ରବାର ଗୃହ କାର୍ଯ୍ୟରେ ସେ ଯୋଗଦେଇପାରି ନାହାନ୍ତି। ଏତଦ୍‌ ବ୍ୟତୀତ ସେ ନିଜର ନିର୍ବାଚନମଣ୍ଡଳୀ ଗସ୍ତ ଯୋଜନା ମଧ୍ୟ ବାତିଲ କରିଥିବା ସମସ୍ତଙ୍କୁ ଜଣାଇଛନ୍ତି। ସୂଚନା ମୁତାବକ, ଥରୁର କେରଳର ଥିରୁଭାନନ୍ତମପୁରମର  ଏମ୍‌ପି ରହିଛନ୍ତି।

Share