Categories: ଜାତୀୟ

ଲୋକ ସଭାରେ କଂଗ୍ରେସ ଏମ୍‌ପିଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନରେ ଲୋକ ସଭାରୁ ଏମ୍‌ପିଙ୍କ ନିଲମ୍ବନ ଆଦେଶ ସୋମବାର ପ୍ରତ୍ୟାହାର ହୋଇଛି। ଗୃହରେ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ କଂଗ୍ରେସର ଚାରିଜଣ ଏମ୍‌ପି ଜ୍ୟୋତିମଣି, ରମାୟ ହରିଦାସ, ଏମ୍‌ ଟାଗୋର, ଟିଏନ୍‌ ପ୍ରତାପନଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଗୃହ କାର୍ଯ୍ୟ ସ୍ବାଭାବିକ କରିବା ପାଇ ବାଚସ୍ପତି ଓମ ବିର୍ଲା ସୋମବାର ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ବୈଠକ ପରେ ସକରାରଙ୍କ ପକ୍ଷରୁ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଏକ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବ ପାରିତ ହେବା ପରେ ନିଲମ୍ବିତ ଏମ୍‌ପିମାନଙ୍କୁ ଲୋକ ସଭାର ପ୍ରକ୍ରିୟାରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା। ଆଦେଶ ପ୍ରତ୍ୟାହାର କରିଥିଲେ ମଧ୍ୟ ବାଚସ୍ପତି ବିରୋଧୀ ଏମ୍‌ପିମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି କେହି ଗୃହରେ ପ୍ଲାକାର୍ଡ ଦେଖାଇବେ ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ହଙ୍ଗାମା ସୃଷ୍ଟି ହୋଇଛି। ମୁଦ୍ରାସ୍ଫୀତି, ବେକାରୀ, ଜିଏସ୍‌ଟି ଭଳି ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବାକୁ ଦାବି କରୁଛନ୍ତି। ନିକଟରେ ଚାରି ଜଣ କଂଗ୍ରେସ ଏମ୍‌ପି ଗୃହରେ ପ୍ଲାକାର୍ଡ ଦେଖାଇବାରୁ ସେମାନଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା। ଏଥିସହିତ ୨୩ ଜଣ ବିରୋଧୀ ଏମ୍‌ପିଙ୍କୁ ମଧ୍ୟ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି।

Share