Categories: Uncategorized

ଇଣ୍ଡିଆ ବ୍ଲକରେ କିପରି ଫାଇନାଲ ହେବ କଂଗ୍ରେସର ସିଟ୍? ବୈଠକରେ ପ୍ରସ୍ତୁତ ହେଲା ସିଟ୍ ଶେୟାରିଂ ଫର୍ମୁଲା

ନୂଆଦିଲ୍ଲୀ ,୨୩।୧୨: ଇଣ୍ଡିଆ ବ୍ଲକରେ ସାମିଲ ଦଳ ମାନଙ୍କ ସହିତ ଆଗାମୀ ଲୋକସଭା ନିର୍ବାଚନରେ ଆସନ ବୁଝାମଣା ପାଇଁ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ରାଷ୍ଟ୍ରୀୟ ଗଠବନ୍ଧନ କମିଟି ଗଠନ କରିଛି କଂଗ୍ରେସ। ଏହି କମିଟି ସିଟ୍ ବୁଝାମଣା କରିବା ପାଇଁ ବିଭିନ୍ନ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ମାନଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବ।

ପାର୍ଟିର ପ୍ରତିଷ୍ଠା ଦିବସ ଉପଲକ୍ଷେ ନାଗପୁରରେ ହେବାକୁ ଥିବା ରାଲି ପରେ ଏହି କମିଟି ବିଭିନ୍ନ ପ୍ରଦେଶ ନେତା ମାନଙ୍କ ପ୍ରତିକ୍ରିୟା ନେବେ। ଏହାପରେ ଜାନୁୟାରି ପ୍ରଥମ ସପ୍ତାହରେ କମିଟି ସହଯୋଗୀ ଦଳ ମାନଙ୍କ ସହିତ ଆସନ ବୁଝାମଣା ଉପରେ ଆଲୋଚନା କରିବ। ଏହି କମିଟିର ଅଧ୍ୟକ୍ଷ ମୋହନ ପ୍ରକାଶ ରହିଥିଲା ବେଳେ ଏଥିରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏବଂ ଭୁପେଶ ବଗେଲ ରହିଛନ୍ତି। ଏମାନଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ଏବଂ ମୁକୁଲ ବାସାନିକ ରହିଛନ୍ତି।

ଏହା ବ୍ୟତୀତ ଲୋକସଭା ନିର୍ବାଚନ ୨୦୨୪ ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଶୁକ୍ରବାର କଂଗ୍ରେସ ଏକ ମାନିଫେଷ୍ଟୋ କମିଟି ଗଠନ କରିଛି। ଏହି କମିଟିରେ ପି ଚିଦାମ୍ବରମଙ୍କ ନେତୃତ୍ୱରେ କରିବେ। ଟି.ଏସ୍ ସିଂଦେବଙ୍କୁ ଏହାର ସଂଯୋଜକ କରାଯାଇଛି। ଏହି କମିଟିରେ ପ୍ରିୟଙ୍କା ଗାନ୍ଧୀ, ସିଦ୍ଧରମୈୟା ଏବଂ ଶଶି ଥରୁରଙ୍କ ଭଳି ନେତାମାନେ ମଧ୍ୟ ସାମିଲ ଅଛନ୍ତି।

ନିକଟରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଦଳକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥିରୁ ଶିକ୍ଷାଲାଭ କରି କଂଗ୍ରେସ ଆଗୁଆ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ କରିଛି। ଏହି କ୍ରମରେ ଦଳର ବରିଷ୍ଠ ନେତାମାନେ ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟର ନେତା ମାନଙ୍କ ସହିତ ଆଲୋଚନା କରିଛନ୍ତି।