Categories: ଜାତୀୟ

କଂଗ୍ରେସକୁ ସାମଗ୍ରିକ ନେତୃତ୍ୱ ଲୋଡ଼ା

ନୂଆଦିଲ୍ଲୀ,୧୭ା୩: କଂଗ୍ରେସକୁ ଆଗକୁ ବଢ଼ିବାକୁ ହେଲେ ଏକ ସାମଗ୍ରିକ ଓ ସାମୂହିକ ନେତୃତ୍ୱର ମଡେଲ ଆପଣାଇବାକୁ ପଡ଼ିବ ବୋଲି ବୁଧବାର ଜି-୨୩ ନେତାମାନେ ମତ ପ୍ରକାଶ କରିଛନ୍ତି।
ଜି-୨୩ ନାମରେ ପରିଚିତ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ ବୁଧବାର ବସିଛି। ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ନେତାମାନେ କଶ୍ମୀରୀ ଖାଦ୍ୟ ଖାଇବା ପରେ ଗାନ୍ଧୀ ପରିବାର ଆଗରେ ନିଜ ଆଭିମୁଖ୍ୟ ରଖିବା ଲାଗି ରଣନୀତି ସ୍ଥିର କରିଥିବା ଜଣାପଡ଼ିଛି। ବୈଠକ ପରେ ଗ୍ରୁପ୍‌-୨୩ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, କଂଗ୍ରେସକୁ ଆଗକୁ ବଢ଼ିବାକୁ ହେଲେ ସାମଗ୍ରିକ ଓ ସାମୁହିକ ନେତୃତ୍ୱର ମଡେଲ ଆପଣାଇବାକୁ ପଡ଼ିବ, ଯାହାକି ସବୁ ସ୍ତରରେ ନିଷ୍ପତ୍ତି ନେଇପାରୁଥିବ। ଭାଜପାକୁ ବିରୋଧ କରିବା ପାଇଁ କଂଗ୍ରେସ ପାର୍ଟିକୁ ମଜଭୁତ କରିବାକୁ ପଡ଼ିବ। କଂଗ୍ରେସ ୨୦୨୪ରେ ଏକ ବିଶ୍ୱସନୀୟ ବିକଳ୍ପର ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ପଥ ପରିଷ୍କାର କରିବା ଲାଗି ସମଭାବାପନ୍ନ ଶକ୍ତିଗୁଡ଼ିକ ସହ ଆଲୋଚନା ଆରମ୍ଭ କରୁ ବୋଲି ଅସନ୍ତୁଷ୍ଟ ଗୋଷ୍ଠୀ ଦାବି କରିଛନ୍ତି। ଏଥିରେ କପିଲ ସିବଲ, ଆନନ୍ଦ ଶର୍ମା, ଭୂପିନ୍ଦର ସିଂ ହୁଡା, ପୃଥ୍ବୀରାଜ ଚଭନ, ମନୀଷ ତିଓ୍ବାରୀ, ଶଶୀ ଥରୁର, ବିବେକ ଟନ୍‌ଖା, ଅଖିଳେଶ ପ୍ରସାଦ ସିଂ ପ୍ରମୁଖ ଜି-୨୩ ନେତାଙ୍କ ସମେତ ଅନ୍ୟ କେତେଜଣ ନୂଆ ମୁହଁଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ମଣିଶଙ୍କର ଆୟାର, ପଟିଆଲା ଏମ୍‌ପି ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସ୍ତ୍ରୀ ପ୍ରେନିତ୍‌ କୌର, ବରିଷ୍ଠ ନେତା ଜେ.ପି. କୁରିଏନ୍‌, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜିନ୍ଦର କୌର ଭଟ୍ଟଲ, ରାଜ ବବ୍ବର, କୁଲଦୀପ ଶର୍ମା। ବୈଠକରେ ଶଙ୍କର ସିଂ ବାଘେଲା ଓ ସନ୍ଦୀପ ଦୀକ୍ଷିତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ରବିବାର ଅନୁଷ୍ଠିତ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଉକ୍ତ ବୈଠକରେ ନେତାମାନଙ୍କୁ ଅବଗତ କରାଯାଇଥିଲା।

 

Share