Categories: ଜାତୀୟ

କଂଗ୍ରେସକୁ ଆଜି ମିଳିବ ନୂଆ ଅଧ୍ୟକ୍ଷ: ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରର ନେତା ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୧୯ ।୧୦: ଦେଶର ସବୁଠାରୁ ପୁରୁଣା ରାନୈତିକ ଦଳ କଂଗ୍ରେସକୁ ଆଜି ଅର୍ଥାତ୍ ବୁଧବାର ତା’ର ନୂଆ ଅଧ୍ୟକ୍ଷ ମିଳିବାକୁ ଯାଉଛି । ୨୪ ବର୍ଷ ପରେ ପ୍ରଥମଥର ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ ଏହି ଅଧ୍ୟକ୍ଷ ପଦ ମିଳିବ । ଏହା ପୂର୍ବରୁ ସୀତାରାମ କେଶରି ଗାନ୍ଧୀ ପରିବାର ବାହାରୁ ଅଧ୍ୟକ୍ଷ ଥିଲେ । ଏଥର ଏହି ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଛି । ଏଥିପାଇଁ ୯,୯୧୫ ମଧ୍ୟରୁ ୯,୫୦୦ରୁ ଅଧିକ ନିର୍ବାଚକ ମଣ୍ଡଳ ସଦସ୍ୟ ସୋମବାର ମତଦାନ କରିଛନ୍ତି । ଏହି ଭୋଟ ଗଣତି ବୁଧବାର ସକାଳ ୧୦ଟାରେ ଏଆଇସିସି ମୁଖ୍ୟାଳୟରେ ଆରମ୍ଭ ହେବ । ଏହାପରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ । କଂଗ୍ରେସର ୧୩୭ ବର୍ଷର ଇତିହାସ ମଧ୍ୟରେ ଏଥର ୬ଷ୍ଠ ଥର ଲାଗି ନିର୍ବାଚନ ହୋଇଛି ।
ସାରା ଦେଶରେ ସ୍ଥାପିତ ହୋଇଥିବା ମୋଟ ୬୮ ମତଦାନ କେନ୍ଦ୍ରରୁ ସମସ୍ତ ସିଲବନ୍ଦ ଭୋଟବାକ୍ସକୁ ଦଳ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମରେ ପହଞ୍ଚାଇ ଦିଆଯାଇଛି । ସିଲବନ୍ଦ ଭୋଟବାକ୍ସକୁ ପ୍ରାର୍ଥଙ୍କ ଏଜେଣ୍ଟ ସାମ୍ନାରେ ଖୋଲାଯିବ ଓ ମତପତ୍ରକୁ ମିଳାଯିବ ।

Share