Categories: ଜାତୀୟ

କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ପରେ ଏବେ ଟୁଇଟର କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି। ଏନେଇ ଗୁରୁବାର କଂଗ୍ରେସ ଅଭିଯୋଗ ଆଣିଛି। ଏଥିସହ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଜରିଆରେ କଂଗ୍ରେସ ଏନେଇ ସୂଚନା ଦେବା ସହ ଉକ୍ତ ମ୍ୟାସେଜର ସ୍କ୍ରିନ୍‌ଶଟ୍‌କୁ ପୋଷ୍ଟ କରିଛି। ଏଥିସହ କ୍ୟାପସନ୍‌ରେ ଲେଖାଯାଇଛି, ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଯାଇଥିଲା ସେତେବେଳେ ଭୟଭୀତ ହୋଇ ନ ଥିଲୁ। ବର୍ତ୍ତମାନ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ କାହିଁକି ଭୟ କରିବୁ? ଆମେ କଂଗ୍ରେସ, ଜନତାଙ୍କ ବାର୍ତ୍ତା, ଆମେ ଲଢ଼ିଛୁ ଏବଂ ଲଢ଼ୁଥିବୁ। ଯଦି ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରିବା ଅପରାଧ, ତେବେ ଆମେ ଏହି ଅପରାଧକୁ ଶହେ ଥର କରିବୁ। ଜୟ ହିନ୍ଦ୍‌ … ସତ୍ୟମେବ ଜୟତେ। ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ରଣଦୀପ ସୁର୍ଜେୱାଲାଙ୍କ ସମେତ ୫ଜଣ ବରିଷ୍ଠ ନେତାଙ୍କ ଆକାଉଣ୍ଟ ବିରୋଧରେ ଟୁଇଟର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କଂଗ୍ରେସ ଦାବି କରିଛି। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଚିବ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ, ଜିତେନ୍ଦ୍ର ସିଂ ଅଲଓ୍ବର, ମାନିକାମ ଟାଗୋର ଓ ସୁସ୍ମିତା ଦେବଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ ରଖାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୋସିଆଲ ମିଡିଆ କମ୍ପାନୀ ଟୁଇଟର ପକ୍ଷରୁ କୁହାଯାଇଛି। ତେବେ ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।

Share