Categories: ଜାତୀୟ

ଆମେରିକା ସେଓ ଉପରୁ ଆମଦାନୀ ଶୁଳ୍କ ହ୍ରାସକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ,୧୩ା୯(ପି.ଟି.): ଆମେରିକୀୟ ସେଓ ଉପରୁ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ହ୍ରାସ କରିଥିବାରୁ ମଙ୍ଗଳବାର କଂଗ୍ରେସ ଏହାକୁ ବିରୋଧ କରିଛି। ଏଭଳି ନିଷ୍ପତ୍ତି ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରର ସେଓ ଉତ୍ପାଦନକାରୀଙ୍କ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ କହିଛି। ଶୁଳ୍କ ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ଉପହାର ଦେଉଥିବାବେଳେ ଦେଶରେ ସେଓ ଚାଷରେ ନିୟୋଜିତ କୃଷକମାନଙ୍କ ପ୍ରତି ଅନ୍ୟାୟ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଛି। କେନ୍ଦ୍ର ସରକାରଙ୍କ ‘ଭୋକାଲ ଫର୍‌ ଲୋକାଲ’ ସ୍ଲୋଗାନ କୁଆଡ଼େ ଗଲା ବୋଲି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଟେ ଏକ ଖବରଦାତା ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି। ଆମେରିକା ସେଓ ଉପରେ ଆମଦାନୀ ଶୁଳ୍କ ରିହାତି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ଲାଗି ସେ ଦାବି କରିଛନ୍ତି। ବିଦେଶୀ ସେଓ ଆମଦାନୀ ପାଇଁ ରିହାତି ଦିଆଗଲେ ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି କଂଗ୍ରେସ କହିଛି। ସୂଚନାଯୋଗ୍ୟ, ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ କେନ୍ଦ୍ର ସରକାର ଆମେରିକାରୁ ଆସୁଥିବା ସେଓ, ଆଲମଣ୍ଡ, ଓ୍ବାଲ୍‌ନଟ୍‌ ଏବଂ ମସୁର ଡାଲି ଉପରୁ ଅତିରିକ୍ତ ଶୁଳ୍କ ହଟାଇଦେବାକୁ ଘୋଷଣା କରିଥିଲେ। ଆମେରିକା ଭାରତର କେତେକ ଇସ୍ପାତ ଓ ଆଲୁମିନିୟମ ସାମଗ୍ରୀ ଉପରେ ଶୁଳ୍କ ବଢ଼ାଇବାରୁ ଏହାର ଜବାବରେ ଭାରତ ୨୦୧୯ରେ ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇଥିଲା।
ଆମେରିକା ସେଓ ଉପରୁ ଆମଦାନୀ ଶୁଳ୍କ ହ୍ରାସ ଲାଗି ସରକାରଙ୍କ ନିଷ୍ପତ୍ତିକୁ ନ୍ୟାଶନାଲ୍‌ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲା ଏବଂ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ସମେତ ଜମ୍ମୁ-କଶ୍ମୀରର ନେତାମାନେ ଦୃଢ଼ ବିରୋଧ କରିଛନ୍ତି।

Share